ଭୁବନେଶ୍ୱରର ଡୁମଡୁମା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ବିଏମସି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦିନକୁ ଦିନ ରାଜଧାନୀରେ ଲୋକାଲ କେସ ବଢିବାରେ ଲାଗିଛି। ଆଜି ଗୋଟିଏ ଦିନରେ ଭୁବନେଶ୍ୱରରୁ ୧୫ଟି ଲୋକାଲ କରୋନା କେସ୍ ଆସିବା ପରେ ପୁଣି ଥରେ ବିଏମସି ଭୁନେଶ୍ୱରର ଡୁମଡୁମା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି। ଦୀର୍ଘଦିନ ପରେ ଭୁବନେଶ୍ଵରରେ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଡୁମଡୁମାର ସୁବାସ ନଗର ବସ୍ତିରୁ ୬ ଜଣ କରୋନା ପଜିଟିଭ୍‌ ବାହାରିବା ପରେ ବିଏମସି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

କୌଣସି ଟ୍ରାଭେଲ ହିଷ୍ଟ୍ରି ନଥାଇ ସୁବାସ ନଗର ବସ୍ତିରୁ ଏକାଧିକ ଆକ୍ରାନ୍ତ ବାହାରିଛନ୍ତି। ଫଳରେ ଡୁମଡୁମା ହନୁମାନ ମନ୍ଦିରରୁ ପ୍ଲଟ ନମ୍ଵର ୩୨୩ ଯାଏଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। କଣ୍ଟେନମେଣ୍ଟ ଜୋନରେ ସବୁ ଅଫିସ ବନ୍ଦ ରହିବା ସହ ଲୋକମାନଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ୬ ଜଣଙ୍କ ମଧ୍ୟରୁ ୫ ଜଣଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରି ନଥିଲା। ତେଣୁ ଏହାକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଏହି ଅଞ୍ଚଳରେ ୭ ଦିନ ଯାଏଁ ଆକ୍ଟିଭ ସର୍ଭେଲାନ୍ସ ଜାରି ରହିବ ବୋଲି କହିଛନ୍ତି ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ।