ଅର୍ଥାଭାବରେ ନଥିଲେ ସୁଶାନ୍ତ

ଜୁନ୍ ୧୪ ତାରିଖରେ ବଲିଉଡ୍ ଆକ୍ଟର ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିବା ପରେ ଏହା ପଛର କାରଣକୁ ନେଇ ଅନେକ ଚର୍ଚ୍ଚା ଚାଲିଛି। ସୁଶାନ୍ତଙ୍କ ପରିବାର, ପ୍ରଶଂସକ ଏହାକୁ ନେଇ ଦୁଃଖରେ ଥିବାବେଳେ ପୁଲିସ ବିଭିନ୍ନ ଦୃଷ୍ଟିକୋଣରୁ ଏହି ମାମଲାର ଯାଞ୍ଚ କରୁଛି। ବାନ୍ଧବୀ ରୀୟା ଚକ୍ରବର୍ତ୍ତୀଙ୍କ ସହ ରିଲେସନସିପଠୁ ଆରମ୍ଭ କରି ସୁଶାନ୍ତଙ୍କର ଆର୍ଥିକ ଦୁଃସ୍ଥିତି ସମ୍ବନ୍ଧରେ ମଧ୍ୟ ଛାନଭିନ ଚଳାଇଛି ପୁଲିସ। ଏହାରି ମଧ୍ୟରେ ସୁଶାନ୍ତଙ୍କର ଜଣେ ନିକଟତମ ବନ୍ଧୁ କହିଛନ୍ତି, ସୁଶାନ୍ତ ଅର୍ଥାଭାବରେ ଥିଲେ ବୋଲି ମିଡିଆରେ ଯାହା ଚର୍ଚ୍ଚା ହେଉଛି, ତାହା ସତ୍ୟ ନୁହେଁ। ସୁଶାନ୍ତଙ୍କ ପାଖରେ ଟଙ୍କା ପଇସାର ଅଭାବ ନଥିଲା। ତାଙ୍କ ହାତରେ କିଛି ଫିଲ୍ମ ଥିଲା। ଆଉ କିଛି ଫିଲ୍ମ କରିବା ପାଇଁ କଥାବାର୍ତ୍ତା ଚାଲିଥିଲା।
ଆସନ୍ତା ବର୍ଷଟିଏ ପର୍ଯ୍ୟନ୍ତ ତାଙ୍କ ହାତରେ କାମ ଥିଲା। ଯଦି ଦୁଇଟି ଫିଲ୍ମ ବି ସେ ସାଇନ କରିଥାନ୍ତେ, ତା’ହେଲେ ୨୦୨୨ ସୁଦ୍ଧା ସେ ପାଞ୍ଚଟି ଫିଲ୍ମରେ କାମ କରିଥାନ୍ତେ। ସୁଶାନ୍ତ ଗୋଟିଏ ଫିଲ୍ମ ପାଇଁ ୮ କୋଟି ଟଙ୍କା ନେଉଥିଲେ। ନିକଟରେ ଜଣେ ନିର୍ମାତା ସୁଶାନ୍ତଙ୍କୁ ତାଙ୍କ ଫିଲ୍ମରେ ନେବାକୁ ଇଚ୍ଛା କରିଥିଲେ। ଏମିତିକି ସେ ଏଥିପାଇଁ ୧୧ କୋଟି ଟଙ୍କା ଦେବାକୁ ରାଜି ଥିଲେ ବୋଲି କହିଛନ୍ତି ସୁଶାନ୍ତଙ୍କ ବନ୍ଧୁ। ସୁଶାନ୍ତଙ୍କ ନିକଟରେ ଟଙ୍କା ଅଭାବ ନଥିଲା ବୋଲି ତାଙ୍କର ଭଉଣୀ ମଧ୍ୟ ପୁଲିସକୁ ଦେଇଥିବା ବୟାନରେ କହିଛନ୍ତି।