ରାଜ୍ୟରେ ସର୍ବାଧିକ ୨୩୭ କରୋନା ଆକ୍ରାନ୍ତ ସୁସ୍ଥ: ସଂଖ୍ୟା ୩,୫୩୪କୁ ବୃଦ୍ଧି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ସର୍ବାଧିକ ୨୩୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥସଂଖ୍ୟା ୩,୫୩୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି।

ଆଜି ସୁସ୍ଥ ହୋଇଥିବା ୨୩୭ ଜଣଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୭୦, ଖୋର୍ଦ୍ଧାରୁ ୫୪, ଜଗତସିଂହପୁରରୁ ୨୦, କନ୍ଧମାଳରୁ ୧୯, ଗଞ୍ଜାମରୁ ୧୭, ଭଦ୍ରକ ଓ ମୟୁରଭଞ୍ଜରୁ ୯ ଲେଖାଏଁ, କେଉଁଝର ଜିଲ୍ଲାରୁ ୮ଜଣ ରହିଛନ୍ତି। ସେହିପରି ଢେଙ୍କାନାଳ ଓ ପୁରୀରୁ ୭ ଲେଖାଏଁ, କେନ୍ଦ୍ରାପଡ଼ା ଓ ନୟାଗଡ଼ରୁ ୪ ଲେଖାଏଁ, କଳାହାଣ୍ଡି, ମାଲକାନଗିରି ଓ ସମ୍ବଲପୁରରୁ ୨ଜଣ ଲେଖାଏଁ, ବୌଦ୍ଧ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଆରୋଗ୍ୟ ଲାଭ କରିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୮୫୬ ହୋଇଥିବାବେଳେ ୩,୫୩୪ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧,୪୧୦ ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।