ଗଜପତିଙ୍କ ମତକୁ ବିଜେପିର ସ୍ୱାଗତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ଦେଇଥିବା ବାର୍ତ୍ତାକୁ ରାଜ୍ୟ ବିଜେପି ପକ୍ଷରୁ ସ୍ୱାଗତ କରାଯାଇଛି। ଏନେଇ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଟ୍ୱିଟ୍ କରି ନିଜର ସମର୍ଥନ ବ୍ୟକ୍ତ କରିଛନ୍ତି।

ଶ୍ରୀ ମହାନ୍ତି ଉଲ୍ଲେଖ କରିଛନ୍ତି ଯେ ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଭାବରେ ଗଜପତି ମହାରାଜ ଆଜି ଗଣମାଧ୍ୟମରେ ଦେଇଥିବା ବକ୍ତବ୍ୟକୁ ଓଡ଼ିଶା ବିଜେପି ପକ୍ଷରୁ ମୁଁ ସମର୍ଥନ କରୁଛି। ଲୋକମାନଙ୍କ ସ୍ୱାସ୍ଥ୍ୟ ଦୃଷ୍ଟିରୁ ମେ ୩ ତାରିଖ ପର୍ଯ୍ୟନ୍ତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଯାହା ଲକ୍ ଡାଉନ୍ ଗାଇଡଲାଇନ ଅଛି, ଏହାକୁ ପାଳନ କରାଯିବା ନେଇ ଗଜପତି ମହାରାଜଙ୍କର ବକ୍ତବ୍ୟକୁ ମୁଁ ସ୍ୱାଗତ କରୁଛି। ସୂଚନାଯୋଗ୍ୟ ଯେ ଶୁକ୍ରବାର ଚଳିଲ ରଥଯାତ୍ରାର ଆୟୋଜନ ନେଇ ପୁରୀରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଲକ୍ ଡାଉନ ନସରିବା ଯାଏଁ ଶ୍ରୀମନ୍ଦିର ବାହାରେ ରଥଯାତ୍ରା ସମ୍ପର୍କିତ କୌଣସି କାର୍ଯ୍ୟ ହୋଇପାରିବ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିବା ନେଇ ପୁରୀ ଗଜପତି ମହାରାଜ ଜଣାଇଥିଲେ।