ରାଫେଲ ରାୟକୁ ନେଇ ବିଜେପି ପକ୍ଷରୁ ଦେଶବ୍ୟାପୀ ଅନ୍ଦୋଳନ

ନୂଆଦିଲ୍ଲୀ,ଏଜେନ୍ସି: ରାଫେଲ ପ୍ରସଙ୍ଗରେ ଶନିବାର ବିଜେପି ପକ୍ଷରୁ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ରାଫେଲ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଛବି ଖରାପ କରିବା ସହ ତାଙ୍କୁ ଅପମାନିତ କରିଥିବା ଅଭିଯୋଗ କରି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥି ସହ ରାହୁଲ ଗାନ୍ଧୀ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛନ୍ତି। ରାଫେଲ୍ ମାମଲାର ପୁର୍ନବିଚାର ଆବେଦନକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଦେବା ସହ ରାହୁଲଙ୍କ ବିରୋଧରେ କୋର୍ଟ ଅବମାନନା ମାମଲାରେ ତାଙ୍କୁ ତାଗିଦ କରିଥିଲେ ।

ରାଫେଲ ଡିଲର ପୁନଃବିଚାର ପ୍ରସଙ୍ଗରେ ସୁପ୍ରିମକୋର୍ଟ କହିଥିଲେ, ଡିଲ୍ ପ୍ରକ୍ରିୟାରେ କୌଣସି ଦୁର୍ନୀତି ହୋଇନାହିଁ ଓ ଆବେଦନରେ କୌଣସି ଦମ୍ ନାହିଁ । ସେହିପରି ମାନହାନୀ ଓ କୋର୍ଟ ଅବମାନନା ମାମଲାରେ ରାହୁଲଙ୍କୁ କଡା ତାଗିଦ କରିଥିଲେ । ରାହୁଲ ଏକ ନିର୍ବାଚନୀ ରାଲିରେ କହିଥିଲେ ଯେ, ସୁପ୍ରିମକୋର୍ଟ ମଧ୍ୟ ମାନିଛନ୍ତି ଚୌକିଦାର ଚୋର ଅଟେ । ଏହାପରେ ତାଙ୍କର ଏହି ବୟାନକୁ ନେଇ ବିଜେପି ପକ୍ଷରୁ ମାମଲା ରୁଜୁ କରାଯାଇଛି ।

କୋର୍ଟଙ୍କ ରାୟକୁ ରାହୁଲ ଭୁଲ ଭାବେ ଉପସ୍ଥାପନ କରିଥିବା ଦର୍ଶାଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବିଜେପି ସାଂସଦ ମିନାକ୍ଷୀ ଲେଖି ।ଆବେଦନକୁ ଗ୍ରହଣ କରି ଜବାବ ମାଗିଥିଲେ କୋର୍ଟ । ନୋଟିସ ପାଇବା ପରେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ ରାହୁଲ । ଆଉ ରାହୁଲଙ୍କ ଏହି କ୍ଷମା ପ୍ରାର୍ଥନାକୁ ଗ୍ରହଣ କରିଥିଲେ କୋର୍ଟ । ଆଗାମୀ ଦିନରେ ଏଭଳି ବିବୃତିରୁ ନିବୃତ୍ତ ରହିବାକୁ ଚେତାବନୀ ଦେଇଛନ୍ତି । ତେବେ ଏପରି ମିଛ ବୟାନ ଦେଇ ରାହୁଲ, ପ୍ରଧାନମନ୍ତ୍ରୀଙ୍କ ଛବି ଖରାପ କରୁଥିବା ଅଭିଯୋଗ ସହ ରାହୁଲ କ୍ଷମା ମାଗନ୍ତୁ ବୋଲି ଦାବିରେ ଆଜି ବିଜେପି ରାସ୍ତାକୁ ଓହ୍ଲାଇବ ।