କାର ଭିତରେ ବିଜେପି ନେତାଙ୍କୁ ଜିଅନ୍ତା ଜାଳିଦେଲେ ଦୁର୍ବୃତ୍ତ

ହାଇଦ୍ରାବାଦ,ଏଜେନ୍ସି: ତେଲେଙ୍ଗାନାରେ ଚାଞ୍ଚଲ୍ୟ। କାର୍ ମଧ୍ୟରେ ଜଣେ ବିଜେପି ନେତାଙ୍କୁ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ। ନେତା ଜଣକ କାରରେ ଥିବାବେଳେ କେତେକ ଅଜଣା ବ୍ୟକ୍ତି କାରରେ ନିଆଁ ଲଗାଇ ଦେଇଥିଲେ। ଏଥିରେ ନେତା ଜଣକ ଜୀବନ୍ତ ଦଗ୍ଧ ହୋଇଛନ୍ତି।

ସୂଚନା ଅନୁଯାୟୀ ବିଜେପିର ପୂର୍ବତନ ନେତା ତଥା ଜିଲ୍ଲା ଉପସଭାପତି ଏସ ଶ୍ରୀନିବାସ ପ୍ରସାଦଙ୍କ ଦଗ୍ଧ ମୃତଦେହ କାରରୁ ଉଦ୍ଧାର ହୋଇଛି। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେଲେଙ୍ଗାନାର ମେଦକ ଜିଲ୍ଲାରେ ଏପରି ଏକ ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି। ମେଦକ ଏସପି ଚନ୍ଦନା ଦୀପ୍ତିଙ୍କ ସୂଚନା ଅନୁଯାୟୀ କାରରେ ବିଜେପି ନେତାଙ୍କୁ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। କାରର୍ ଡିକି ମଧ୍ୟରୁ ନେତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏନେଇ ଅଧିକ ତଦନ୍ତ ଜାରି ରଖିଛି ପୁଲିସ। ଜିଲ୍ଲାରେ ଏପରି ଏକ ଘଟଣାକୁ ନେଇ ଲୋକେ ଭୟଭୀତ ହେବା ସହ କଡା ସମାଲୋଚନା କରିଛନ୍ତି। ଅନ୍ୟପଟେ ଶ୍ରୀନିବାସ ବିଜେପିର ପୂର୍ବତନ ନେତା ସମେତ ଅଞ୍ଚଳର ଜଣେ ଜଣାଶୁଣା ବ୍ୟବସାୟୀ ମଧ୍ୟ। ତାଙ୍କୁ କିଏ ଏବଂ କେଉଁ କାରଣରୁ ହତ୍ୟା କରିଛି ସେନେଇ ସ୍ପଷ୍ଟ ହୋଇନାହିଁ। ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ।