ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଶାକର୍ମୀଙ୍କୁ ସରକାରୀ ମାନ୍ୟତା ଦିଅ। ସେମାନଙ୍କ ପାଇଁ ମାସିକ ୧୮ ହଜାର ବେତନ କର। ଶୁକ୍ରବାର ନୂଆଦିଲ୍ଲୀର ନିର୍ମାଣ ଭବନରେ ସାଂସଦ ସୁବାସ ସିଂହଙ୍କ ନେତୃତ୍ୱରେ ୫ ବିଜେଡି ସାଂସଦ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନ୍ସୁଖ୍ ମାଣ୍ଡଭିୟାଙ୍କୁ ସାକ୍ଷାତ କରିବା ସହ ଏହି ମର୍ମରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସାଂସଦ ଶ୍ରୀ ସିଂହଙ୍କ ସହ ମହେଶ ସାହୁ, ପ୍ରମିଳା ବିଶୋଇ, ମଂଜୁଲତା ମଣ୍ଡଳ, ଚନ୍ଦ୍ରାଣୀ ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ। ସେମାନେ ଆଶାକର୍ମୀଙ୍କୁ ବେତନ ଓ ସରକାରୀ ମାନ୍ୟତା ପ୍ରସଙ୍ଗରେ ମନ୍ତ୍ରୀଙ୍କ ସହ ପ୍ରାୟ ୨ଘଣ୍ଟା ଧରି ଆଲୋଚନା କରିଥିଲେ।
ବିଜେଡି ସାଂସଦମାନେ କହିଥିଲେ ଯେ, କରୋନା ସମୟରେ ଆଶାକର୍ମୀ ନିଜ ଜୀବନକୁ ବିପନ୍ନ କରି ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି। ଅନ୍ୟାନ୍ୟ ଅପହଞ୍ଚ ଇଲାକାରେ ବିଭିନ୍ନ ସମସ୍ୟା ସତ୍ତ୍ୱେ ପାଦରେ ଚାଲି ଚାଲି ଆଶାକର୍ମୀମାନେ ମା’ ଓ ଶିଶୁଙ୍କ ଚିକିତ୍ସା ସେବା ଯୋଗାଉଛନ୍ତି। ଦିନକୁ ୧୫ଘଣ୍ଟା କାମ କରି ମଧ୍ୟ ମାସକୁ ୫ହଜାର ଟଙ୍କା ମିଳୁନାହିଁ। ଏହାଦ୍ୱାରା ଆଶାକର୍ମୀଙ୍କ ସାମାଜିକ ଓ ଅର୍ଥନୈତିକ ନିରାପତ୍ତା ତଥା ସୁରକ୍ଷା ବିପନ୍ନ ହେଉଛି। ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ସୁରକ୍ଷା ସହିତ ପେନ୍ସନ, ପିଲାଙ୍କ ପାଠପଢ଼ା, ଗସ୍ତ ଖର୍ଚ୍ଚ ତଥା ମାସକୁ ୧୮ହଜାର ଟଙ୍କା ଦରମା ଯୋଗାଇ ଦେବା ନିହାତି ଜରୁରୀ। କେନ୍ଦ୍ର ସରକାର ଏହା ଉପରେ ବିଚାର କରିବା ଦରକାର ବୋଲି ସେମାନେ ଦାବି କରିଥିଲେ। ପରେ ସାଂସଦ ସୁବାସ ସିଂହ ଗଣମାଧ୍ୟମକୁ କହିଥିଲେ,ବର୍ତ୍ତମାନ ଆଶା କର୍ମୀଙ୍କ ବେତନକୁ ୬୦ ପ୍ରତିଶତ କେନ୍ଦ୍ର ଦେଉଥିବାବେଳେ ରାଜ୍ୟ ସରକାର ୪୦ପ୍ରତିଶତ ବେତନ ପ୍ରଦାନ କରୁଛନ୍ତି।
ଓଡ଼ିଶା ସରକାର ଆଶାକର୍ମୀଙ୍କୁ ମାସକୁ ୧ହଜାର ଟଙ୍କା ଅତିରିକ୍ତ ଆର୍ôଥକ ସହାୟତା ପ୍ରଦାନ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘଦିନ ଧରି କେନ୍ଦ୍ରକୁ ଆଶାକର୍ମୀଙ୍କ ବେତନ ବୃଦ୍ଧି ଓ ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ ନେଇ ପତ୍ର ଲେଖି ଆସୁଛନ୍ତି। ହେଲେ କେନ୍ଦ୍ର ସରକାର ଏହାକୁ ଗୁରୁତ୍ୱ ନଦେବା କ୍ଷୋଭର ବିଷୟ। ପୂର୍ବରୁ ଶୂନ୍ୟକାଳରେ ଆଶାକର୍ମୀଙ୍କୁ ସରକାରୀ ମାନ୍ୟତା ଓ ସପ୍ତମ ବେତନ କମିଶନ ଦେବା ପାଇଁ ସୁବାସ ଦାବି କରିଥିଲେ। ହେଲେ ତାହା ଫଳବତୀ ହୋଇପାରିନାହିଁ। ତେଣୁ ପୁଣି ଥରେ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛୁ ବୋଲି ଶ୍ରୀ ସିଂହ ପ୍ରକାଶ କରିଛନ୍ତି।