କେନ୍ଦ୍ରାପଡ଼ା ଜିଲ୍ଲାରେ ସର୍ବବୃହତ ଷ୍ଟିଲ ପ୍ଲାଣ୍ଟ, ଓଡିଶାର ବିକାଶରେ ନୂଆ ଅଧ୍ୟାୟ ଖୋଲିବ: ଧର୍ମେନ୍ଦ୍ର

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡା ଠାରେ ଅଗ୍ରଣୀ ଇସ୍ପାତ୍ କମ୍ପାନି ଆର୍ସେଲର ମିତଲ ନିପନ୍ ଷ୍ଟିଲ୍‌(ଏଏମ୍‌ଏନ୍‌ଏସ୍‌) ଦ୍ୱାରା ୧.୦୨ ଲକ୍ଷ କୋଟି ଟଙ୍କାର ବୃହତ ପୁଞ୍ଜିନିବେଶରେ ନିର୍ମାଣ ହେବାକୁ ଥିବା ପ୍ରସ୍ତାବିତ ଦେଶର ସର୍ବବୃହତ ଷ୍ଟିଲ ପ୍ଲାଣ୍ଟ୍ କେନ୍ଦ୍ରାପଡ଼ା ଜିଲ୍ଲା ସମେତ ରାଜ୍ୟର ବିକାଶରେ ନୂଆ ଅଧ୍ୟାୟ ଖୋଲିବ ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ କେନ୍ଦ୍ରାପଡ଼ା ଜିଲ୍ଲାରେ ଆର୍ସେଲର ମିତଲ ନିପନ୍ ଷ୍ଟିଲର ୧.୦୨ ଲକ୍ଷ କୋଟି ଟଙ୍କାର ବୃହତ ପୁଞ୍ଜିନିବେଶ ସହ ପ୍ରସ୍ତାବିତ ବାର୍ଷିକ ୨୪ ନିୟୁତ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା ପାଇଁ ଓଡ଼ିଶା ସରକାର ଆବଶ୍ୟକ ଅନୁମତି ମଞ୍ଜୁର କରିଥିବା ଜାଣି ଖୁସି ହେଲି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ପୂର୍ବୋଦୟ ଏବଂ ଆତ୍ମନିର୍ଭର ଭାରତ କଳ୍ପନା ଏବଂ ଇସ୍ପାତ୍ ନୀତି ଦ୍ୱାରା ଏହି ବୃହତ କାରଖାନା କେନ୍ଦ୍ରାପଡ଼ା ଜିଲ୍ଲା ସମେତ ରାଜ୍ୟର ବିକାଶରେ ନୂଆ ଅଧ୍ୟାୟ ଖୋଲିବ ଏବଂ ଯୁବପିଢିଙ୍କ ପାଇଁ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ପ୍ରକାଶ ଯେ ଭାରତ ସରକାରଙ୍କ ଇସ୍ପାତ୍ ମନ୍ତ୍ରଣାଳୟ ଦାୟିତ୍ୱରେ ଥିବା ସମୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିଭିନ୍ନ ପର୍ଯ୍ୟାୟରେ ଆର୍ସେଲର ମିତଲର ମୁଖ୍ୟ ଏଲ.ଏନ୍ ମିତଲ ଏବଂ ଆଦିତ୍ୟ ମିତଲଙ୍କ ସହ ଆଲୋଚନା କରିବା ଅବସରରେ କେନ୍ଦ୍ରାପଡ଼ାରେ ସର୍ବବୃହତ ଇସ୍ପାତ୍ କାରଖାନା ନିର୍ମାଣ ପାଇଁ ଯୋଜନା ଆରମ୍ଭ ହୋଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଓଡ଼ିଶା ସରକାର ଏବଂ ଆର୍ସେଲର ନିପ୍ପନ ଷ୍ଟିଲ୍ ମଧ୍ୟରେ ଏହି ପ୍ଲାଣ୍ଟ୍ ସ୍ଥାପନ ନେଇ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା। ୨୦୨୧ ଫେବୃୟାରୀ ମାସରେ କେନ୍ଦ୍ରାପଡ଼ା ଗସ୍ତ ସମୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଇସ୍ପାତ୍ କ୍ଷେତ୍ର ଜରିଆରେ ଜିଲ୍ଲାରେ ଶିଳ୍ପାୟନର ବିକାଶ କରିବା ଜିଲ୍ଲାବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

ଓଡ଼ିଶାରେ ଇସ୍ପାତ୍ କ୍ଷେତ୍ରରେ ପୁଞ୍ଜନିବେଶ ଆଣିବା ପାଇଁ ଶ୍ରୀ ପ୍ରଧାନ ସକ୍ରିୟ ଭାବରେ ଶିଳ୍ପ ନେତୃତ୍ୱମାନଙ୍କ ସହ ଆଲୋଚନା ପର୍ଯ୍ୟାଲୋଚନା କରୁଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଶ୍ରୀ ପ୍ରଧାନ ଇସ୍ପାତ୍ ମନ୍ତ୍ରଣାଳୟର ଦାୟିତ୍ୱ ନେବା ପରେ ରାଜ୍ୟରେ ଇସ୍ପାତ୍ କ୍ଷେତ୍ରରେ ଅଭୁତପୂର୍ବ କାର୍ଯ୍ୟ ସମ୍ପନ୍ନ ହୋଇଛି ଏବଂ କ୍ରିୟାନ୍ୱୟନ ମଧ୍ୟ ହେଉଛି। ଯଦ୍ୱାରା ଏହି କ୍ଷେତ୍ରରେ ଅନେକ ସମ୍ଭାବନା ତିଆରି ହୋଇଛି। ଇସ୍ପାତ୍ ଶିଳ୍ପରେ ତାଙ୍କର ସକ୍ରିୟ ଯୋଗଦାନ ଫଳପ୍ରଦ ହୋଇଛି ଏବଂ କେନ୍ଦ୍ରାପଡ଼ା ସର୍ବବୃହତ ଇସ୍ପାତ୍ କାରଖାନା ପ୍ରତିଷ୍ଠା ସହ ବିକାଶର ନୂତନ ସକାଳର ସାକ୍ଷୀ ହେବା ଦିଗରେ ରହିଛି।