ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତଭାବେ ନିଯୁକ୍ତ ହେଲେ ଓଡ଼ିଆ ପୁଅ

  • ଦେବଗଡ: ଓଡ଼ିଶାର ଦେବଗଡ଼ ସହରରେ ଜନ୍ମଗ୍ରହଣ କରିଥିବା ଭାରତୀୟ ବିଦେଶ ସେବା(ଆଇଏଫଏସ୍) ଶ୍ରୀ ବିନୟ ଶ୍ରୀକାନ୍ତ ପ୍ରଧାନଙ୍କୁ ପୂର୍ବ ଆଫ୍ରିକୀୟ ଦେଶ ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତଭାବେ ଭାରତ ସରକାର ନିଯୁକ୍ତ କରିଛନ୍ତି ବୋଲି ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି। ଶ୍ରୀ ପ୍ରଧାନ ଦେବଗଡ଼ର ଆରବିଡ଼ି ବିଦ୍ୟାଳୟରୁ ପାଠ ପଢ଼ି ଜିଏମ ମହାବିଦ୍ୟାଳୟରେ ଅଧ୍ୟୟନ କରିବା ସହିତ ଜେଏନୟୁରୁ ଉଚ୍ଚଶିକ୍ଷା ଲାଭ କରିଥିଲେ।
    ସୂଚାନଯୋଗ୍ୟ, ଶ୍ରୀ ପ୍ରଧାନ ୨୦୧୯ରୁ ଋଷର ମସ୍କୋସ୍ଥିତ ଭାରତୀୟ ଦୂତାବାସରେ ଡେପୁଟି ଚିଫ୍ ଅଫ୍ ମିଶନ୍ଭାବେ ଅବସ୍ଥାପିତ ଅଛନ୍ତି। ସେ ଖୁବଶୀଘ୍ର ନୂଆ ପଦ ଗ୍ରହଣ କରିବେ। ଜଣେ ଦକ୍ଷ ଏବଂ ବିଶିଷ୍ଟ କୁଟନୀତିଜ୍ଞଭାବେ ସେ ୨୦୦୪ ରୁ ୨୦୧୨ ପର୍ଯ୍ୟନ୍ତ ମୋସ୍କୋ, ତୁର୍କମେନିସ୍ତାନ ଏବଂ ପାକିସ୍ତାନର ଭାରତୀୟ ଦୂତାବାସରେ ବରିଷ୍ଠ ପଦବୀରେ କାର୍ଯ୍ୟ ସମ୍ପାଦନ କରିଛନ୍ତି। ୨୦୧୨ ରୁ ୨୦୧୪ ପର୍ଯ୍ୟନ୍ତ ବିଦେଶ ମନ୍ତ୍ରଣାଳୟରେ ଆଫଗାନିସ୍ତାନ ଓ ଇରାନ ସହିତ ଭାରତର ଦ୍ୱିପାକ୍ଷିକ ସମ୍ପର୍କ ନେଇ କାର୍ଯ୍ୟ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ସେ ଭାରତ ସରକାରଙ୍କ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ମଧ୍ୟ କାର୍ଯ୍ୟ କରିଥିଲେ। ଏହି ଖବର ପାଇବା ପରେ ତାଙ୍କ ବନ୍ଧୁ, ପରିବାର ଏବଂ ଅଞ୍ଚଳବାସୀଙ୍କ ମନରେ ଖୁସିର ବାତାବରଣ ସୃଷ୍ଟି ହେବା ସହ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।