ବିଶିଷ୍ଟ ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଲିଉଡର ବିଶିଷ୍ଟ ଅଭିନେତା ବିଜୟ ମହାନ୍ତିଙ୍କ ଆଜି ପରଲୋକ ହୋଇଛି। ୭୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ୧୯୫୦ ମସିହାରେ ସେ କେନ୍ଦ୍ରାପଡ଼ା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ହେଲେ ତାଙ୍କ ଶୈଶବ ମୟୁରଭଞ୍ଜରେ କଟିଥିଲା। ସନ୍ଧ୍ୟାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜି ସେଠାରେ ତାଙ୍କର ପରଲୋକ ହୋଇଛି। ୧୯୭୬ ମସିହାରେ ‘ନାଗଫାଶ’ ଚଳଚ୍ଚିତ୍ରରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ। ସୁନ୍ଦର ଅଭିନୟ ପାଇଁ ସେ ଓଡ଼ିଆ ଚଳଚ୍ଚିତ୍ରର ସର୍ବୋଚ୍ଚ ସମ୍ମାନ ‘ଜୟଦେବ ପୁରସ୍କାର’ ପାଇଛନ୍ତି। ‘ଭୁଲି ହୁଏନା’ ନାମକ ଏକ ଚଳଚ୍ଚିତ୍ରରେ ସେ ନିର୍ଦ୍ଦେଶନା ଦେଇଛନ୍ତି। ଚିଲିକା ତୀରେ ଚଳଚିତ୍ର ଜରିଆରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ଏହି ଚଳଚିତ୍ରଟି ସେତେବେଳେ ଜାତୀୟ ପୁରସ୍କାର ପାଇଥିଲା । ଏହାପରେ ସେ ନାଗଫାଶ, ସମୟ ବଡ଼ ବଳବାନ, ଦଣ୍ଡାବାଳୁଙ୍ଗା, ସହରୀ ବାଘ, ଚକା ଭଉଁରୀ, ଚକାଆଖି ସବୁ ଦେଖୁଛି ଆଦି ଫିଲ୍ମରେ ଅଭିନୟ ପରି ପ୍ରଶିଦ୍ଧି ପାଇଥିଲେ । ଏହାପରେ ସେ ଆରତୀ, ମମତା ମାଗେ ମୂଲ, ଏଇ ଆମ ସଂସାର, ଆମଘର ଆମ ସଂସାର, କିହେବ ଶୁଆ ପୋଶିଲେ, ଭୀଷ୍ମ ପ୍ରତିଜ୍ଞା, ଭାଇ ହେଲା ଭଗାରୀ ସୁନା ପଞ୍ଜୁରୀ, ଲକ୍ଷ୍ମଣ ରେଖା, ରାକ୍ଷୀ ଭିଜିଗଲା ଆଖି ଲୁହରେ ପରି ବହୁ ଚଳଚିତ୍ରରେ ଅଭିନୟ କରିଥିଲେ । ସେ ଅଭିନୟ ସହ ନିର୍ଦେଶନା କ୍ଷେତ୍ରକୁ ମଧ୍ୟ ଓହ୍ଲାଇଥିଲେ । ଭୂଲି ହୁଏନା ନାମକ ଏକ ଚଳଚିତ୍ରର ସେ ନିର୍ଦେଶନା ଦେଇଥିଲେ ।

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ନାଟକ ବିଭାଗରେ ସେ ପ୍ରଫେସର ଭାବରେ ୧୯୭୭ ମସିହାରେ ଯୋଗ ଦେଇଥିଲେ । ଏହା ସହ ଦୂରଦର୍ଶନରେ ଆଶାର ଆଲୋକ, ଶ୍ରୀଜଗନ୍ନାଥ, ସୁଭଦ୍ରା, ସାରା ଆକାଶ, ସମୟ ଚକ, ସକାଳର ଅପେକ୍ଷାରେ, ନଦେଖିଲା ଲୋକ ଦେଖ, ମହାଯଜ୍ଞ, ବିଧାତାର ଖେଳ ପରି ଧାରାବାହିକରେ ଅଭିନୟ କରିଥିଲେ ।