ବିହାର ମଦ ମୃତ୍ୟୁ ଘଟଣା: ମୃତକଙ୍କ ସଂଖ୍ୟା ୧୦କୁ ବୃଦ୍ଧି, ୩ ଗିରଫ

ପାଟଣା,ଏଜେନ୍ସି: ବିହାରର ଗୋପାଳଗଞ୍ଜରେ ବିଷାକ୍ତ ମଦ ପିଇବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। କିନ୍ତୁ ଡାକ୍ତର ନଭଲ କିଶୋର ଚୌଧୁରୀଙ୍କ କହିବା ଅନୁସାରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ମୃତଦେହ ଗୁଡ଼ିକ ପୋଷ୍ଟମର୍ଟମ କରାଯାଇଛି।

ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ଉ କରି ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ଘରୁ ଦେଶୀ ପାଉଚ ମଦ ମିଳିଛି। ତେବେ ଗୁରୁତର ଥିବା ଅନ୍ୟମାନଙ୍କର ଚିକିତ୍ସା ଜାରି ରହିଛି। ସଂକଟାପନ୍ନ ଥିବା ଜଣେ ବ୍ୟକ୍ତିଙ୍କୁ ପାଟଣା ମେଡିକାଲ କଲେଜ ସ୍ଥାନାନ୍ତରିତ କରାଯାଇଛି।

ସୂଚନାଯୋଗ୍ୟ, ବିହାରରେ ବାରମ୍ବାର ବିଷାକ୍ତ ମଦ ପିଇବା ଯୋଗୁଁ ମୃତ୍ୟୁ ହୋଉଛି। ବିହାରରେ ୨୦୧୬ ଏପ୍ରିଲ ୫ରେ ମଦ ଉପରେ କଟକଣା ଲାଗିଥିଲା। ସେହି ଦିନଠାରୁ ଏପର୍ଯ୍ୟନ୍ତ ୧୨୩ ଜଣଙ୍କର ମୃତ୍ୟୁ ହୋଇସାରିଛି। ୨୦୧୬ରୁ ୨୦୨୦ ମଧ୍ୟରେ ୩୫ ଜଣ ବିଷାକ୍ତ ମଦ ପିଇ ପ୍ରାଣ ହରାଇଥିଲେ। ଚଳିତ ବର୍ଷ ୮୮ ଜଣଙ୍କର ମୃତ୍ୟୁର କାରଣ ହେଉଛି ବିଷାକ୍ତ ମଦ।