ସରକାରୀ କର୍ମଚାରୀ ପାଇଁ ବଢିଲା ଗୃହ ନିର୍ମାଣ ଋଣ ସହାୟତା

ଭୁବନେଶ୍ବର,ଏନ୍ଏନ୍ଏସ୍: ରାଜ୍ୟ ସରକାର ସରକାରୀ କର୍ମଚାରୀ ମାନଙ୍କ ପାଇଁ ଗୃହ ନିର୍ମାଣ ସହାୟତା ରାଶିକୁ ବୃଦ୍ଧି କରିଛନ୍ତି । ଏହି ରାଶି ୨୫ ଲକ୍ଷ ଟଙ୍କାରୁ ୪୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ସପ୍ତମ ବେତନ କମିଶନ ସୁପାରିଶ ଭିତ୍ତିରେ ଏହାକୁ ବୃଦ୍ଧି କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସୁଧହାର ପରିମାଣ ମଧ୍ୟ କମାଯାଇ ୮ ପ୍ରତିଶତ ରଖାଯାଇଛି । ଏହି ଋଣ ୬୦-୪୦ ଅନୁପାତରେ ଦୁଇଟି ପର୍ଯ୍ୟାୟରେ କର୍ମଚାରୀ ମାନଙ୍କୁ ଦିଆଯିବ । ପୂର୍ବରୁ ୨୦୧୦ରେ ଲାଗୁ କରାଯାଇଥିବା ଗୃହ ନିର୍ମାଣ ସହାୟତା ନିୟମ ଅନୁଯାୟୀ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯାଉଛି ।

ଏଥିରେ ସର୍ବାଧିକ ସୁଧ ହାର ୧୧.୫ ପ୍ରତିଶତ ଥିଲା । ବର୍ତ୍ତମାନ ଗୃହ ନିର୍ମାଣ ସହାୟତା ପରିମାଣ ୪୦ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବା ସହିତ ସୁଧ ପରିମାଣ ୮ ପ୍ରତିଶତକୁ ହ୍ରାସ କରାଯାଇଛି । ଜାତୀୟ ପେନସନ୍ ସ୍କିମ୍ ଅଧୀନସ୍ଥ କର୍ମଚାରୀଙ୍କ ସହିତ ସମସ୍ତ ସ୍ଥାୟୀ ସରକାରୀ କର୍ମଚାରୀ ଏହି ସହାୟତା ପାଇପାରିବେ ।