ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବେଙ୍ଗାଲୁରୁରେ ହିଂସାକାଣ୍ଡ: ପୁଲିସ ଗୁଳିରେ ୨ ମୃତ, ୧୧୦ ଗିରଫ

ବେଙ୍ଗାଲୁରୁ,ଏଜେନ୍ସି: ଜଣେ ଯୁବକ ଫେସ‌ବୁକରେ ଆପତ୍ତିଜନକ ପ୍ରସଙ୍ଗ ପୋଷ୍ଟ କରିବା ନେଇ ମଙ୍ଗଳବାର ବିଳମ୍ବିତ ରାତିରେ ବେଙ୍ଗାଲୁରୁ ସହର‌ରେ ବ୍ୟାପକ ହିଂସାକାଣ୍ଡ ଘଟିଛି। ଏହି ସମୟରେ ପୁଲିସ ଗୁଳିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧୦ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁସାରେ ଫେସ‌ବୁକ‌ରେ ଆପତ୍ତିଜନକ ପୋଷ୍ଟ କରିଥିବା ଯୁବକ ଜଣଙ୍କ ପୁଲକେଶୀ ନଗରର କଂଗ୍ରେସ ବିଧାୟକ ଅଖଣ୍ଡ ଶ୍ରୀନିବାସ ମୂର୍ତ୍ତିଙ୍କ ସମ୍ପର୍କୀୟ ବୋଲି କୁହାଯାଉଛି। ଏଥିଯୋଗୁଁ ସଂଖ୍ୟାଲଘୁ ସମ୍ପ୍ରଦାୟର ସଦସ୍ୟମାନେ ଡିଜେ ହାଲି ଓ କେଜି ହାଲି ଥାନା ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଧାୟକଙ୍କ ବାସଭବନ ଉପରେ ଟେକାପଥର ଫିଙ୍ଗିଛନ୍ତି। ପୁଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ଯୁବକ ଜଣଙ୍କ କହିଛନ୍ତି ଯେ, ସେ ଏହା ପୋଷ୍ଟ୍‌ କରି ନାହାନ୍ତି, ଫେସବୁକ ଆକାଉଣ୍ଟ୍‌ ହ୍ୟାକ୍ କରାଯାଇ ଏଭଳି କରାଯାଇଛି।

ପ୍ରାପ୍ତ ସୂଚନା ଅନୁସାରେ, ଉତ୍ତ୍ୟକ୍ତ ଜନତାଙ୍କ ଟେକା ଓ ବୋତଲ ମାଡ଼ରେ ୬୦ ଜଣ ପୁଲିସ ଆହତ ହୋଇଛନ୍ତି। ଦଙ୍ଗା ସୃଷ୍ଟି କରିଥିବା କାରଣରୁ ୧୧୦ ଜଣଙ୍କୁ ଗିରଫ କରାଯାଇଥିବା ବେଙ୍ଗାଲୁରୁ ପୁଲିସ କମିସନର‌ କମଳ ପନ୍ତ କହିଛନ୍ତି। ଏନେଇ ସହରର କେତେକ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ଜଣାପଡ଼ିଛି।