ବଲଦା ଖଣି ସମ୍ମୁଖରେ ଶିଳ୍ପ ବିରୋଧୀଙ୍କ ଧାରଣା ଜାରି, ୩୭.୫ କୋଟିର ଖଣି ରାଜସ୍ୱ ହରାଇଲେ ସରକାର

ଭୁବନେଶ୍ୱର,ଏନ୍ଏନ୍ଏସ୍: ବଢ଼ିଚାଲିଛି ରାଜ୍ୟ ସରକାରଙ୍କର ରାଜସ୍ୱ କ୍ଷତି। କାଲି ଯାହା ୧୮.୭୫ କୋଟି ଥିଲା, ଆଜି ତାହା ୩୭.୫ କୋଟିରେ ପହଞ୍ଚିଛି। ପରିସ୍ଥିତି ନସୁଧୁରିଲେ ଆସନ୍ତାକାଲି ହୁଏତ କ୍ଷତିରେ ପୁଣି ୧୮.୭୫ କୋଟି ମିଶିବ। ଏଭଳି ଏକ ସପ୍ତାହ ଲାଗି ରହିଲେ ସରକାରଙ୍କ ଲୁହାପଥର ରାଜସ୍ୱର କ୍ଷତି ପରିମାଣ ୧୩୧ କୋଟି ଟପିଯିବ। ହେଲେ ସ୍ଥାନୀୟ ପୁଲିସର ଏଥିପ୍ରତି ସାମାନ୍ୟତମ ନଜର ନାହିଁ।
ଚଳିତ ବର୍ଷ ସିରାଜୁଦ୍ଦିନ କମ୍ପାନୀ ରାଜ୍ୟ ସରକାରଙ୍କଠାରୁ କେନ୍ଦୁଝର ଜିଲ୍ଲାର ବଲଦା ଲୁହାପଥର ଖଣିକୁ ଲିଜ୍ ନେଇଛି। ଏହି ଖଣିରୁ ଯେତିକି ଲୁହାପଥର ଉତ୍ତୋଳନ ହୋଇ ପରିବହନ ହେବ ସେଥିରୁ ରାଜ୍ୟ ସରକାର ୧୧୮.୦୫ ପ୍ରତିଶତ ପ୍ରିମିୟମ୍ ପାଇବେ। ରାଜ୍ୟ ସରକାରଙ୍କ ଖଣି ଖନନ ନିୟମକୁ ଆଧାର କରି କମ୍ପାନୀ ଏହି ଖଣିରୁ ଦୈନିକ ଯେତିକି ଲୁହାପଥର ବିଭିନ୍ନ ଇସ୍ପାତ କମ୍ପାନୀ ଓ ଅନ୍ୟାନ୍ୟ ସଂସ୍ଥାକୁ ପରିବହନ କରିବ ସେଥିରୁ ରାଜ୍ୟ ସରକାର ୧୮ କୋଟି ୭୫ ଲକ୍ଷ ଟଙ୍କା ପ୍ରିମିୟମ ପାଇବେ। ଲୁହାପଥର ପରିବହନ ହୋଇ ନପାରିଲେ ଏହି ରାଜସ୍ୱ ରାଜ୍ୟ ସରକାରଙ୍କୁ ମିଳିବ ନାହିଁ। କମ୍ପାନୀ ପକ୍ଷରୁ ଖଣିରେ ଲୁହାପଥର ଉତ୍ତୋଳନ କାର୍ଯ୍ୟ ଇତିମଧ୍ୟରେ ଆରମ୍ଭ ହୋଇଯାଇଛି। ସାରା ଦେଶରେ ବିଭିନ୍ନ ଇସ୍ପାତ କାରଖାନା କଞ୍ଚାମାଲ ଅଭାବରୁ ଘୋର ସଙ୍କଟ ମଧ୍ୟରେ ଗତି କରୁଛନ୍ତି।

ସେଥିପାଇଁ ଦେଶରେ ଇସ୍ପାତ ଉତ୍ପାଦନ ମଧ୍ୟ ହ୍ରାସ ପାଇଛି। ତେଣୁ ସିରାଜୁଦ୍ଦିନ କମ୍ପାନୀ ବିଭିନ୍ନ ଇସ୍ପାତ କମ୍ପାନୀକୁ କଞ୍ଚାମାଲ ସଙ୍କଟରୁ ଉଦ୍ଧାର କରିବା ପାଇଁ ଯଥା ସମ୍ଭବ ଉତ୍ତୋଳନ କାର୍ଯ୍ୟ ଜାରି ରଖିଛି। ଲିଜ୍ ପାଇବାର କିଛି ଦିନ ମଧ୍ୟରେ ଯଥେଷ୍ଟ ପରିମାଣର ଲୁହାପଥର ଉତ୍ତୋଳନ କରି କମ୍ପାନୀ ଗଚ୍ଛିତ ରଖିଛି। ଏହାଦ୍ୱାରା କେବଳ ଯେ ଇସ୍ପାତ କାରଖାନାଗୁଡ଼ିକର ସମସ୍ୟା ଲାଘବ ହେବ ତାହାନୁହେଁ, ରାଜ୍ୟ ସରକାର ମଧ୍ୟ କୋଟି କୋଟି ଟଙ୍କାର ରାଜସ୍ୱ ପାଇବେ। କିନ୍ତୁ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଏବେ କମ୍ପାନୀର ଲୁହାପଥର ପରିବହନରେ ପ୍ରତିବନ୍ଧକ ସୃଷ୍ଟି କରିବାକୁ ଯାଇ ରାଜ୍ୟ ସରକାରଙ୍କୁ ପ୍ରଭୂତ କ୍ଷତିରେ ପକାଇଛନ୍ତି। ସେମାନେ ସ୍ଥାନୀୟ ଅଞ୍ଚଳର କିଛି ନିରୀହ ଲୋକଙ୍କ କାନ୍ଧରେ ବନ୍ଧୁକ ରଖି ଶିକାର କରିବାକୁ ଉଦ୍ୟମ କରୁଛନ୍ତି। ବିଶେଷ ସୂତ୍ରରୁ ଖବର ମିଳିଛି ଯେ ଲୁହାପଥର ପରିବହନକୁ ବିରୋଧ କରି ଧାରଣା ଦେଇଥିବା ଲୋକମାନେ ଆନ୍ଦୋଳନ ସଂପର୍କରେ କିଛି ଜାଣି ନାହାନ୍ତି। ସେମାନଙ୍କୁ ଦୈନିକ ମଜୁରୀ ଓ ଖାଇବା ପିଇବାକୁ ଦେଇ କୁଚକ୍ରୀ ଗୋଷ୍ଠୀ ଧାରଣାରେ ବସାଇଛନ୍ତି। କାମକୁ ଗଲେ ଏହି ଲୋକଙ୍କୁ ଯେତିକି ମଜୁରୀ ମିଳିଥା’ନ୍ତା ସେମାନଙ୍କୁ ତାହାର ୫ ଗୁଣ ଅଧିକ ମଜୁରୀ ଦିଆଯାଉଛି। ତେବେ ସ୍ଥାନୀୟ ଅଞ୍ଚଳର ବହୁ ସଂଖ୍ୟକ ଲୋକ ଲୁହାପଥର ପରିବହନକୁ ସମର୍ଥନ କରୁଛନ୍ତି। କିଛି ଅଦୃଶ୍ୟ ଶକ୍ତି କେବଳ ଯେ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ହାତବାରିସୀ କରିଛନ୍ତି ତାହା ନୁହେଁ, ପୁଲିସକୁ ମଧ୍ୟ କରାୟତ କରିଛନ୍ତି। ନଚେତ ଗତକାଲିଠାରୁ କମ୍ପାନୀ ପକ୍ଷରୁ ବାମବେରୀ ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ଆଇଆଇସି ନିରବ ବସିଥା’ନ୍ତେ କିପରି? ଗତକାଲିଠାରୁ ପୁଲିସ କେବଳ ଧର୍ମକୁ ଆଖିଠାର ଭଳି ଧାରଣାରେ ବସିଥିବା ଲୋକଙ୍କୁ ସୁରକ୍ଷା ଦେଉଛି। ଯେଉଁମାନେ ଆଇନକୁ ହାତକୁ ନେଇଛନ୍ତି ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ୱ କ୍ଷତି ପ୍ରତି ଏହି ପୁଲିସ ଅଧିକାରୀଙ୍କ ଆଦୌ ଚିନ୍ତା ନାହିଁ। ଦଶ କୋଡିଏ ଜଣ ଲୋକଙ୍କ ପାଇଁ ସରକାର ଦୈନିକ ୧୮.୭୫ କୋଟି ଟଙ୍କା କ୍ଷତି ସହୁଛନ୍ତି, ଏହା କିଛି କମ୍ କଥା ନୁହେଁ। କିନ୍ତୁ ଦେଶ ପଛେ ଭାସିଯାଉ ଏହି ଅଧିକାରୀମାନେ ନିଜର ସ୍ୱାର୍ଥ ଚରିତାର୍ଥ କରିବାରେ ବ୍ୟସ୍ତ ରହିଛନ୍ତି। ଅଦୃଶ୍ୟ ଶକ୍ତିଙ୍କ ଇଙ୍ଗିତରେ କେବଳ ପରିଚାଳିତ ହୋଇ ସରକାରଙ୍କୁ କ୍ଷତିର ସମ୍ମୁଖୀନ କରାଇଛନ୍ତି।

ଖଣି କାର୍ଯ୍ୟ ଆରମ୍ଭ ହେବା ସହ ପାରିପାଶ୍ୱିର୍କ ଅଞ୍ଚଳର ବିକାଶ ପାଇଁ କମ୍ପାନୀ କର୍ତ୍ତୃପକ୍ଷ ବ୍ୟାପକ ଯୋଜନା ପ୍ରସ୍ତୁତ କରିଛନ୍ତି। ଜିଲ୍ଲା ପ୍ରଶାସନର ପରାମର୍ଶକ୍ରମେ ପରବର୍ତ୍ତୀ କାଳରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ଖଣିରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ରୋଜଗାରକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି। ସ୍ଥାନୀୟ ଅଞ୍ଚଳର ଶହ ଶହ ଲୋକ ଖଣିରେ କାମ କରି ପରିବାର ପ୍ରତିପୋଷଣ ପାଇଁ ସକ୍ଷମ ହୋଇଛନ୍ତି। ହେଲେ ଏହି କୁଚକ୍ରୀ ଗୋଷ୍ଠୀ ସମସ୍ତଙ୍କ ଭାତ ଥାଳିରେ ଧୁଳି ପକାଇବାକୁ ଉଦ୍ୟମ ଚଳାଇଛନ୍ତି। କମ୍ପାନୀକୁ ବିରୋଧ କରିବାକୁ ଯାଇ ସେମାନେ ସ୍ଥାନୀୟ ଲୋକଙ୍କର କ୍ଷତି ସାଧନ କରୁଛନ୍ତି। ଖଣି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳର ସବୁ ଲୋକ ସମର୍ଥନ କରୁଛନ୍ତି। ଖଣି କାର୍ଯ୍ୟ ଦ୍ୱାରା ସେମାନଙ୍କ ଅଞ୍ଚଳର ବିକାଶ ହେବ ବୋଲି ସେମାନେ ଭଲଭାବରେ ଜାଣିଛନ୍ତି। ହେଲେ ଅଳ୍ପ ସଂଖ୍ୟକ ଲୋକ ଏହି କୁଚକ୍ରୀ ଗୋଷ୍ଠୀର ଜାଲରେ ଫସିଯାଇ ରାଜ୍ୟ ବିରୋଧୀ କାର୍ଯ୍ୟ କରୁଛନ୍ତି।