ୟୁକୋ ବ୍ୟାଙ୍କରୁ ୨୦ଲକ୍ଷ ଲୁଟ୍ , ନେଇଗଲେ ସିସିଟିଭି ହାର୍ଡଡିକ୍ସ

ବାଲେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଚନ୍ଦନେଶ୍ୱର ୫୭ନଂ ରାଜ୍ୟ ରାଜପଥ ଭୋଗରାଇର ଚୌକି ଛକରେ ଥିବା ୟୁକୋ ବ୍ୟାଙ୍କରୁ ଆଜି ଅପରାହ୍ଣରେ ଲୁଟ ହୋଇଛି। ଦୁଇଟି ବାଇକରେ ୬ଜଣ ଲୁଟେରା ବନ୍ଧୁକ ଦେଖାଇ ବ୍ୟାଙ୍କର ଷ୍ଟ୍ରଙ୍ଗ ରୁମରେ ଥିବା ଲକରରୁ ୨୦ଲକ୍ଷ ଟଙ୍କା ଓ ସୁନା ଗହଣା ନେଇ ଫେରାର ହୋଇଯାଇଛନ୍ତି। ଲୁଟେରାମାନେ ବ୍ୟାଙ୍କର ଗ୍ରାହକ ଏବଂ କର୍ମଚାରୀମାନଙ୍କୁ ଏକାଠି କରି ସେମାନଙ୍କର ମୋବାଇଲ ଛଡାଇ ସେମାନଙ୍କୁ ବ୍ୟାଙ୍କ ପରିସରରେ ଆଣ୍ଠେଇ ଦେଇ ଲୁଟ୍ କରିଥିଲେ। ମାତ୍ର ଯିବା ସମୟରେ ଲୁଟେରାମାନେ ସିସିଟିଭି କ୍ୟାମେରାର ହାର୍ଡ ଡିସ୍କ ନେଇ ଯାଇଥିବା ବେଳେ ଏକ ବୋମା ବ୍ୟାଙ୍କ ଭିତରେ ରଖି ପଳାଇ ଯାଇଛନ୍ତି। ବ୍ୟାଙ୍କର ଶାଖା ପରିଚାଳକ ଛୁଟିରେ ଥିବା ବେଳେ ବ୍ୟାଙ୍କର କୌଣସି ସିକ୍ୟୁରିଟି ନଥିଲେ। ମାତ୍ର ଲୁଟ ସମ୍ପର୍କରେ ବ୍ୟାଙ୍କର କୌଣସି କର୍ମଚାରୀ ମୁହଁ ଖୋଲୁ ନାହାନ୍ତି। ଖବରପାଇ ଜଳେଶ୍ୱର ଏସଡିପିଓ ଅଙ୍କିତା କୁମ୍ଭାର ଏବଂ ଭୋଗରାଇ ଥାନା ଅଧିକାରୀ ସୁଜାତା ଖମାରୀ ତଦନ୍ତ ଚଳାଇଛନ୍ତି। ଏହାଛଡା ତାଳସାରୀ ସାମୁଦ୍ରିକ ଥାନା ପକ୍ଷରୁ ଚନ୍ଦନେଶ୍ୱର ଦୀଘା ରାସ୍ତାର ମହାନ୍ତି ଛକ ଏବଂ କମର୍ଦ୍ଦା ଥାନା ପକ୍ଷରୁ କମର୍ଦ୍ଦା ମୁଖ୍ୟ ରାସ୍ତାରେ ବାଇକ ଚାଳକମାନଙ୍କୁ ଅଟକାଇ ତନଖି କରାଯାଉଛି।