ଓଡିଶାରେ ସହରାଞ୍ଚଳର ବିକାଶ ପାଇଁ କେନ୍ଦ୍ର ଦେଇଛି ୮୮୫.୫୮ କୋଟି

ନୂଆଦିଲ୍ଲୀ, ଭୁବନେଶ୍ୱର,ଏନ୍ଏନ୍ଏସ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ‘ଅମୃତ’ ଯୋଜନା ମାଧ୍ୟମରେ ଓଡ଼ିଶାକୁ ୨୦୧୫-୨୦ ମଧ୍ୟରେ ୮୮୫.୫୮କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହା ଓଡ଼ିଶାରେ ସହରାଞ୍ଚଳ ବିକାଶ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଥିବା ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି ଟ୍ୱିଟ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଅଟଳ ମିଶନ ‘ଅମୃତ’ ଯୋଜନାରେ ଓଡ଼ିଶାର ଭୁବନେଶ୍ୱର, ଭଦ୍ରକ, ବାଲେଶ୍ୱର, ବ୍ରହ୍ମପୁର, କଟକ, ପୁରୀ, ରାଉରକେଲା ଓ ସମ୍ବଲପୁର ଭଳି ସହରଗୁଡ଼ିକରେ ସହରାଞ୍ଚଳ ଭିତ୍ତିଭୂମିର ଉନ୍ନତିକରଣ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଟ୍ୱିଟ କରି ଧନ୍ୟବାଦ ଦେଇଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଉକ୍ତ ଯୋଜନାରେ ପାନୀୟଜଳ ଯୋଗାଣ, ସ୍ୱରେଜ ଓ ପରିମଳ ପରିଚାଳନା, ବର୍ଜ୍ୟଜଳ ନିଷ୍କାସନ, ସବୁଜ ପରିବେଶ, ପାର୍କ ଓ ଅଣ-ମୋଟରଚାଳିତ ସହରାଞ୍ଚଳ ପରିବହନ ଭଳି ମୌଳିକ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। ରାଜ୍ୟ ବାର୍ଷିକ କାର୍ଯ୍ୟ ଯୋଜନା (ସାପ) ଅଧୀନରେ ଓଡ଼ିଶା ପାଇଁ ୧୫୯୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଭୁବନେଶ୍ୱର ଓ ରାଉରକେଲା ସ୍ମାର୍ଟସିଟି ମିଶନ ସହ ସ୍ୱୟଂଚାଳିତ ଜଳ ବିଶୋଧନ ପ୍ଲାଣ୍ଟ, ପାର୍କର ବିକାଶ, ଜରୁରିକାଳୀନ ସୌରଚାଳିତ ପମ୍ପ୍ ସ୍ଥାପନ ଭଳି ପ୍ରକଳ୍ପ ଲୋକଙ୍କ ଆକାଂକ୍ଷାକୁ ପୂରଣ କରୁଛି। ଏହି ଯୋଜନା ଅଧୀନରେ ଓଡ଼ିଶାକୁ ୧୯୧ଟି ପ୍ରକଳ୍ପ ମଞ୍ଜୁର କରାଯାଇଥିବା ବେଳେ ସେଥିରୁ ୧୫୨ଟି ପ୍ରକଳ୍ପ ଶେଷ ହୋଇଛି ଏବଂ ଅବଶିଷ୍ଟ ୩୯ଟି ପ୍ରକଳ୍ପର କାମ ଜାରିରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।