ବାଲେଶ୍ୱର,ଏନଏନଏସ୍: ବାଲେଶ୍ୱର ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ପ୍ରତିଶ୍ରୁତି ଏବେ ପୂରଣ ହେବାକୁ ଯାଉଛି । ବିଶ୍ୱସ୍ତରୀୟ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ ହେବ ବାଲେଶ୍ୱର ଜିଲ୍ଲା ଭୋଗରାଇର ଉଦୟପୁର,ତାଳସାରୀ ବେଳାଭୂମି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଗୁରୁବାର ଅପରାହ୍ନରେ ଭିଡିଓ କନ୍ଫରେନ୍ସିଂରେ ୩୬କୋଟି ୧୦ଲକ୍ଷ ଟଙ୍କା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପର୍ଯ୍ୟଟନ ବିଭାଗପକ୍ଷରୁ ଚନ୍ଦନେଶ୍ୱର ଉଦୟପୁର ତାଳସାରୀ ବେଳାଭୂମିର ଆଲୋକୀକରଣ ପାଇଁ ୭କୋଟି ୧୦ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବାବେଳେ ତାଳସାରୀ-ଉଦୟପୁର୨.୬କି.ମି ବେଳାଭୂମି ସମୁଦ୍ରତଟର ଉନ୍ନତୀକରଣ ସହିତ ସମୁଦ୍ର ପାଶ୍ୱର୍ ସୌନ୍ଦର୍ଯ୍ୟକରଣ ପାଇଁ ୨୯କୋଟି ମଞ୍ଜୁର ହୋଇଛି। ଏହି ଅବସରରେ ପର୍ଯ୍ୟଟନ କ୍ଷେତ୍ରରେ ବାଲେଶ୍ୱର ବିକାଶରେ ନୂଆ ଅଧ୍ୟାୟ ଖୋଲିବ। ବେଳାଭୂମି ଓ ପର୍ଯ୍ୟଟନ କ୍ଷେତ୍ରର ବହୁ ବିକାଶ ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭୋଗରାଇର ହୁଗୁଳି ପଞ୍ଚାୟତ ଅଧୀନ ବିନ୍ଧାପଦ୍ମପୁର ହେଲିପ୍ୟାଡ୍ ପଡ଼ିଆରେ ଏକ ସଭାର ଆୟୋଜନ ହୋଇଥିଲା। ଏଥିରେ ବାଲେଶ୍ୱର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ଭୋଗରାଇ ବିଧାୟକ ଅନନ୍ତ ଦାସ ପୌରୋହିତ୍ୟ କରିଥିଲେ। ମୁଖ୍ୟଅତିଥି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇ ଆଗାମୀ ୫ବର୍ଷ ଭିତରେ ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶା ଦେଶର ତୃତୀୟ ରାଜ୍ୟ ଭାବେ ପରିଣତ ହେବ, ତାଳସାରୀକୁ ଏକ ବିଶ୍ୱସ୍ତରୀୟ ବେଳାଭୂମିରେ ପରିଣତ କରାଯିବ ଏବଂ ଆଗାମୀ ୬ମାସ ମଧ୍ୟରେ ଏହି କାର୍ଯ୍ୟ ଶେଷହେବ ବୋଲି କହିଥିଲେ।
ଏଥିସହିତ ସେ ପର୍ଯ୍ୟଟନର ବିକାଶ ପାଇଁ ଲୋକଙ୍କର ସହଯୋଗ ଲୋଡ଼ିଥିଲେ। ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଯୋଗଦେଇ ଏହି ଦୁଇ ବେଳାଭୂମିକୁ ପ୍ରତିଦିନ ହଜାର ହଜାର ଲୋକ ଆସୁଛନ୍ତି। ତାଳସାରୀ,ଉଦୟପୁର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଏକ ନମ୍ବର। ଆଗାମୀ ଦିନରେ ଆହୁରି ବହୁ ପ୍ରକଳ୍ପ ମଧ୍ୟ ଆସିବ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନିବେଦିତା ମହାନ୍ତି, ଭୋଗରାଇ ପଞ୍ଚାୟତ ସମିତି ଅଧ୍ୟକ୍ଷା ମଞ୍ଜୁରାଣୀ ବେହେରା, ଜିଲ୍ଲା ପ୍ରକଳ୍ପ ଅଧିକାରୀ ରବୀନ୍ଦ୍ର କୁମାର ସାହୁ ପ୍ରମୁଖ ବେଳାଭୂମିର ଉନ୍ନତୀକରଣ ସମ୍ପର୍କରେ ମତ ରଖିଥିଲେ। ଭୋଗରାଇ ବିଇଓ ଭଗୀରଥ ଗିରି ମଞ୍ଚ ଆହ୍ୱାନ କରିଥିବା ବେଳେ ଶେଷରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଗଗନ କୁମାର ସାହୁ ଧନ୍ୟବାଦ ଦେଇଥିଲେ। ଏଥିରେ ପୂର୍ବତନ ସରପଞ୍ଚ ରମାକାନ୍ତ କରଣ, ଉପାଧ୍ୟକ୍ଷ ଦୀପକ କୁମାର ଦାସ,ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଗଣପତି ଗିରି, ଭୋଗରାଇ ବିଡିଓ ସତ୍ୟଜିତ ରାଉତ, ତହସିଲ୍ଦାର କମଳାକାନ୍ତ ପଣ୍ଡା, ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଡା.କମଳାକାନ୍ତ ଜେନା, ଏନବିସିସିର ଏକଜିକ୍ୟୁଟିଭ ଇଞ୍ଜିନିୟର ବିଭୁଦତ୍ତ ମିଶ୍ର, ଜିଲ୍ଲା ପରିଷଦ ସଦସ୍ୟ ଦେବାଶିଷ ଚାନ୍ଦ, ହୁଗୁଳି ସରପଞ୍ଚ ତପନ କୁମାର ପଣ୍ଡା, ଗୋଛିଦା ତେଘରି ସରପଞ୍ଚ ନଗେନ୍ଦ୍ର ନାଥ ପାତ୍ର, ସାହାବାଜିପୁର ସରପଞ୍ଚଙ୍କ ପ୍ରତିନିଧି ଅରୁଣ ଗିରି, ନାରାୟଣ ମହାନ୍ତି, ପଡ଼ିଆ ସରପଞ୍ଚ ପ୍ରଦୀପ ବେହେରା, ସରପଞ୍ଚ ପ୍ରବୀର ଗିରି, ସମାଜସେବୀ ଭୁବନାନନ୍ଦ ଦାସ, ସନ୍ତୋଷ ଦାସ, ହେମନ୍ତ ବେହେରା, ଅଚ୍ୟୁତାନନ୍ଦ ଦାସ, ଶ୍ରୀହରି ଜେନା ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ତାଳସାରୀକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗତ ଜାନୁଆରୀ ୧୦ତାରଖରେ ଘୋଷଣା କରିଥିଲେ। ଏଥିରେ ପାଭିଲିୟନ ସହ ବର୍ଷା ଆଶ୍ରୟସ୍ଥଳୀ, କିଓସ୍କ, ସିଟିଂ ଆଇଲାଣ୍ଡ, ସୋଲାର ଫଟୋ ଭୋଲାଟାଇଲ ପାନେଲସ, ଆମ୍ଫି ଥିଏଟର, ତାରକା ପୂର୍ଣ୍ଣ ରେସ୍ତୋରାଁ ଆଦି ହେବାର କାର୍ଯ୍ୟକ୍ରମ ରହିଛି। ସେଥିପାଇଁ ବନ ବିଭାଗର ୫୧ଏକର ଜାଗା ରାଜସ୍ୱ ବିଭାଗକୁ ହସ୍ତାନ୍ତର କାର୍ଯ୍ୟ ଶେଷ ହୋଇଛି।