ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୂମିହୀନ ଚାଷୀଙ୍କୁ କୃଷି ଋଣ ଯୋଗାଇବା ନିମନ୍ତେ ରାଜ୍ୟ ସରକାରଙ୍କ ନୂତନ ଯୋଜନା ‘ବଳରାମ’ ପ୍ରସ୍ତୁତ କରାଯାଇଛି। ଆଜି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଜଏଣ୍ଟ ଲିଆବିଲିଟି ଗ୍ରୁପ୍ (ଜେଏଲଜି) ମାଧ୍ୟମରେ ଭୂମିହୀନ ·ଷୀମାନଙ୍କୁ ଋଣ ଦେବା ପାଇଁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟସ୍ତରରେ ଇମେଜ ଏବଂ ଜିଲ୍ଲାସ୍ତରରେ ଆତ୍ମା ସଂସ୍ଥା ଏହି କାର୍ଯ୍ୟକ୍ରମର ସଂଯୋଜନା କରିବେ। ଗ୍ରାମାଞ୍ଚଳ ଏବଂ ଛୋଟ ଛୋଟ ସହର ଅଞ୍ଚଳଗୁଡ଼ିକରେ ବିଭିନ୍ନ ବ୍ୟାଙ୍କ୍ ଏବଂ ପ୍ରାଥମିକ କୃଷି ସମବାୟ ସଂସ୍ଥାର ପ୍ରାୟ ୭୦୦୦ ଶାଖା ଥିବା ଜଣାପଡ଼ିଛି। ପ୍ରତି ବ୍ୟାଙ୍କ୍ ଶାଖାକୁ ଚଳିତବର୍ଷ ଅତି କମରେ ୧୦ଟି ଜେଏଲଜିଙ୍କୁ ଋଣ ଦେବା ପାଇଁ କୁହାଯାଇଛି। ଏହା ଦ୍ୱାରା ପ୍ରାୟ ୭୦,୦୦୦ ଗ୍ରୁପ ଚଳିତ ବର୍ଷ କୃଷି ଋଣ ପାଇ ପାରିବେ। ଗୋଟିଏ ଗ୍ରୁପରେ ୫ ଜଣ ·ଷୀ ରହିବେ। ବର୍ଷକୁ ୩.୫ ଲକ୍ଷ ·ଷୀ ହିସାବରେ ୨ ବର୍ଷ ମଧ୍ୟରେ ପ୍ରାୟ ୭ ଲକ୍ଷ ଭୂମିହୀନ ଚାଷୀଙ୍କୁ କୃଷି ଋଣ ଯୋଗାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ପ୍ରାୟ ୧୦୪୦ କୋଟି ଟଙ୍କାର ଋଣ ଯୋଗାଣ ପାଇଁ ଲକ୍ଷ୍ୟ ରଖାଯାଇଛି। ପ୍ରତି ଗ୍ରୁପ୍ ୧.୬୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇପାରିବେ। କୃଷକ ସାଥୀ ଏବଂ ଗ୍ରାମ କୃଷି କର୍ମଚାରୀମାନେ ଗ୍ରୁପ୍ ଗଠନ କରି ସେମାନଙ୍କୁ ବ୍ୟାଙ୍କଗୁଡ଼ିକ ସହ ସଂଯୋଜିତ କରିବେ। ଋଣ ଯୋଗାଣ ଏବଂ ଋଣ ପୈଠ ଆଦିରେ ସହାୟତା କରିବେ।
ଏହି କାର୍ଯ୍ୟ ପାଇଁ ସେମାନଙ୍କୁ ଜିଳ୍ଲାସ୍ତରୀୟ ଆତ୍ମା ସଂସ୍ଥା ମାଧ୍ୟମରେ ପ୍ରୋତ୍ସାହନ ଦେବା ପାଇଁ ବୈଠକରେ ସ୍ଥିର ହୋଇଛି। ଏହି କ୍ଷେତ୍ରସ୍ତରୀୟ କର୍ମ·ରୀଙ୍କୁ ସଠିକ୍ ଭାବେ ତାଲିମ ଓ ଅନୁପ୍ରେରଣା ଦେବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ଓ କୃଷକ ସଶକ୍ତୀକରଣ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ ମୀନା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ, ନାବାର୍ଡର ମୁଖ୍ୟ ପରିଚାଳନା ପ୍ରବନ୍ଧକ ଶ୍ରୀ ଚନ୍ଦ୍ରଶେଖରଙ୍କ ସମେତ ରାଜ୍ୟ ସମବାୟ ବ୍ୟାଙ୍କ୍, ରାଜ୍ୟସ୍ତରୀୟ ବ୍ୟାଙ୍କ ସମନ୍ୱୟ କମିଟି ଏବଂ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।