ଦେଓଗାଁ,ଏନ୍ଏନ୍ଏସ୍: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକରେ ଚଳିତ ବର୍ଷ ନିର୍ବାଚନ ପରେ ପ୍ରଥମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦେଓଗାଁ ବିଡିଓ ରାମଦତ୍ତ ଭୋଇ, ବ୍ଲକ ଉପାଧ୍ୟକ୍ଷ ସୂର୍ଯ୍ୟକାନ୍ତି ଛତରିଆ,ଏମପି ନୋମିନି ଅମିତ ସିଂ ନିନା, କଂଗ୍ରେସ ସେବାଦଳ ମୁଖ୍ୟ ଅସିତ ମିଶ୍ର ଓ କଂଗ୍ରେସ ନେତା ସୁରୁଲା ମଟାରୀ ମଞ୍ଚାସିନ ଥିଲେ । ଉନ୍ନୟନମୂଳକ କାମରେ ଟଙ୍କା ପଡ଼ି ରହିବା, ବିପର୍ଯ୍ୟସ୍ତ ପ୍ରାଥମିକ ଶିକ୍ଷା ସହ ଗ୍ରୀଷ୍ମ ଋତୁରେ ଦେଖା ଦେଇଥିବା ପିଇବା ପାଣି ସମସ୍ୟାକୁ ନେଇ ଆଲୋଚନା ହୋଇଥିଲା । ବ୍ଲକର ବିଭିନ୍ନ ଗାଁରେ ଦେଖା ଦେଇଥିବା ପାନୀୟ ଜଳ ସମସ୍ୟାକୁ ନେଇ ବିଧାୟକ ଅସନ୍ତୋଷ ପ୍ରକାଶ କରିଥିଲେ । ଦେଓଗାଁ ବ୍ଲକର ସାଗରପାଲି, ରତାଖଣ୍ଡି, ନାଇକେନସିରା, ବନ୍ଧପଡ଼ା, ଅଁଳା ପାଲି, ଦେଓଗାଁ ଓ ସତିଘାଟରେ ଜଳ ଯୋଗାଣ ବ୍ୟବସ୍ଥାକୁ ନେଇ ନିର୍ବାଚିତ ଜନପ୍ରତିନିଧିମାନେ ଉଦବେଗ ପ୍ରକାଶ କରିଥିଲେ । ବ୍ଲକସ୍ତରୀୟ ଅଧିକାରୀଙ୍କ ବଦଳରେ ତାଙ୍କ ପ୍ରତିନିଧି ଆସୁଥିବାରୁ ଆଗମୀ ବୈଠକରେ ଏହାକୁ ବାରଣ କରିବାକୁ ପ୍ରସ୍ତାବ ଆଗତ ହୋଇଥିଲା । ସମସ୍ତ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ସହ କୃଷି, ଉଦ୍ୟାନ, ସ୍ୱାସ୍ଥ୍ୟ, ଜଙ୍ଗଲ ଓ ଶିକ୍ଷା ବିଭାଗର କର୍ମଚାରୀମାନେ ଯୋଗ ଦେଇଥିଲେ । ଶେଷରେ ବ୍ଲକ ଜିପିଓ ପୁଷ୍ପାଞ୍ଜଳି ନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।