ଅଷ୍ଟ୍ରେଲିଆ ଗଣମାଧ୍ୟମର ଦାବି: ଗଲୱାନ୍ ସଂଘର୍ଷ ସମୟରେ ନଦୀରେ ଭାସିଗଲେ ୩୮ ଚୀନ ସୈନିକ!

ନୂଆଦିଲ୍ଲୀ,ଏଜେନ୍ସି: ପୂର୍ବ ଲଦ୍ଦାଖର ଗଲୱାନ ଘାଟୀରେ ୨୦୨୦ ଜୁନ ମାସରେ ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ଏହି ହିଂସାରେ କର୍ଣ୍ଣେଲ ସନ୍ତୋଷ ବାବୁ ସମେତ ଭାରତର ୨୦ ଜଣ ଯବାନ ସହିଦ ହୋଇଥିଲେ। କିନ୍ତୁ ଚୀନ ଉପରେ ସଂଘର୍ଷ ପରେ ନିଜର ସୈନିକଙ୍କ ମୃତ୍ୟୁ ଲୁଚାଇବା ଅଭିଯୋଗ ହୋଇଆସୁଛି। ଏବେ ଏହି ମାମଲାର ବଡ଼ ଖୁଲାସା ହୋଇଛି। ହିଂସା ସମୟରେ ଚୀନର ୩୮ ଜଣ ସୈନିକ ନଦୀରେ ପ୍ରବାହିତ ହୋଇଯାଇଥିଲେ। ଅଷ୍ଟ୍ରେଲିଆର ଗଣମାଧ୍ୟମ ଏହି ଦାବି କରିଛି। କିନ୍ତୁ ଚୀନ କହିଥିଲା ଯେ, ଗଲୱାନ ହିଂସାରେ ୪ ଜଣ ସୈନିକଙ୍କ ମୃତ୍ୟୁ ହୋଇଥିଲା।

ଅଷ୍ଟ୍ରେଲିଆର ଖବରକାଗଜ ‘ଦ କ୍ଲାକ୍ସନ’ରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ, ଗଲୱାନ ସଂଘର୍ଷରେ ଚୀନର ପିପୁଲ୍ସ ଲିବରେଶନ ଆର୍ମି (ପିଏଲଏ)ର ଅନେକ ଯବାନ ନଦୀରେ ପ୍ରବାହିତ ହୋଇଯାଇଥିଲେ। ଅଷ୍ଟ୍ରେଲୀୟ ଗଣମାଧ୍ୟମର ଏହି ରିପୋର୍ଟ ପୁଣି ଥରେ ଚୀନର ମିଛକୁ ବିଶ୍ୱ ଆଗରେ ଉଜାଗର କରିଦେଇଛି। ରିପୋର୍ଟରେ ଚୀନ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ୱେଇବୋ ପକ୍ଷରୁ କୁହାଯାଇଛି ଯେ, ଘଟଣାଦିନ ରାତିରେ ୩୮ ଜଣ ସୈନିକ ପାଣିରେ ବୁଡ଼ିଯାଇଥିଲେ। କିନ୍ତୁ ଚୀନ ମାତ୍ର ୪ ଜଣ ସୈନିକଙ୍କ ମୃତ୍ୟୁ ନେଇ ମୁହଁ ଖୋଲିଥିଲା। ଘଟଣା ଦିନ କ’ଣ ହୋଇଥିଲା, ସେବାବଦରେ ମଧ୍ୟ ଚୀନ ତଥ୍ୟ ଲୁଚାଇ ରଖିଛି।