ଡାକ୍ତର ଓ ନର୍ସଙ୍କୁ ଆକ୍ରମଣ କଲେ ୭ ବର୍ଷ ଜେଲ: ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ,ଏଜେନ୍ସି: ରାଷ୍ଟ୍ରପତି ରାମନାଥ କୋବିନ୍ଦ କରୋନା ଭାଇରସ ମହାମାରୀ ସହ ଲଢ଼େଇ ଜାରି ରଖିଥିବା ଡାକ୍ତର ନର୍ସଙ୍କୁ ଆକ୍ରମଣ କରୁଥିବା ଅଭିଯୁକ୍ତଙ୍କ ବିରୋଧରେ ନିଆଯାଇଥିବା କଡ଼ା କାର୍ୟ୍ୟାନୁଷ୍ଠାନ ଅଧ୍ୟାଦେଶକୁ ବୁଧବାର ମଂଜୁରୀ ଦେଇଛନ୍ତି । ମହାମାରୀ ଆଇନ ୧୯୮୭ରେ ସଂଶୋଧନ କରି ଏହି ଆଧ୍ୟାଦେଶରେ ସ୍ୱାସ୍ଥ୍ୟକର୍ମୀଙ୍କ ପହଞ୍ଚିଥିବା ଯନ୍ତ୍ରଣା, କ୍ଷତି ଓ ନଷ୍ଟ କରବା ପାଇଁ କ୍ଷତିପୂରଣ ବ୍ୟବସ୍ଥା କରାଯାଇଛି ।

ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ୟାବିନେଟ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣକୁ ଦୃଷ୍ଟିରେ ରଖି ସେମାନଙ୍କ ସୁରକ୍ଷାକୁ ନେଇ ଆଧ୍ୟାଦେଶ ଆଣିଥିଲେ । ଏହି ଆଇନ ଅନୁଯାୟୀ ସର୍ବାଧିକ ୭ ବର୍ଷ ଜେଲଦଣ୍ଡ ହୋଇପାରିବ ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏକ ବୟାନରେ କହିଥିଲା ଯେ, ରାଷ୍ଟ୍ରପତି ଏହି ଆଧ୍ୟାଦେଶର ଉଦଘୋଷଣା ପାଇଁ ନିଜର ମଞ୍ଜୁରୀ ଦେଇଛନ୍ତି। ଆଧ୍ୟାଦେଶ ଅନୁସାରେ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ କରିବା ଅଥବା ଅସହଯୋଗ କଲେ ୩ ମାସରୁ ୫ ବର୍ଷ ଯାଏଁ ଜେଲ ଦଣ୍ଡ ଓ ୫୦ ହଜାର ଠାରୁ ୨ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଜରିମାନା ହୋଇପାରେ । ଶକ୍ତ ଆଘାତ ହେଲେ ଅପରାଧୀଙ୍କୁ ୬ ମାସରୁ ୭ ବର୍ଷ ଯାଏଁ ଜେଲ ହୋଇପାରେ । ଏଥି ସହିତ ୫ ଲକ୍ଷ ଟଙ୍କା ଜରିମାନା ହେବ । ଏତଦ ବ୍ୟତୀତ ଅପରାଧୀଙ୍କୁ ପୀଡ଼ିତଙ୍କୁ କ୍ଷତିପୂରଣ ଦେବାକୁ ପଡ଼ିବ ଏବଂ ସଂପତ୍ତି କ୍ଷତିପୂରଣ ପାଇଁ ବଜାର ମୂଲ୍ୟର ଦୁଇ ଗୁଣ ଦେବାକୁ ପଡ଼ିବ ।