ବିଧାନସଭା ନିର୍ବାଚନ : ଫେବୃଆରୀ ୨୫ରେ ମୋଦୀ ଓ ମାର୍ଚ୍ଚ ୧ରେ ଶାହ ଯିବେ ପୁଡ଼ୁଚେରୀ

ପୁଡ଼ୁଚେରୀ: କେନ୍ଦ୍ରଶାସିତ ରାଜ୍ୟ ପୁଡ଼ୁଚେରୀରେ କଂଗ୍ରେସ-ଡିଏମକେ ମହାମେଣ୍ଟ ସରକାର ଭାଙ୍ଗିବା ପରେ ଏବେ ବିଜେପି ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ରାଜ୍ୟରେ ଜୁନ୍ ପୂର୍ବରୁ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ସେଥିପାଇଁ ମାର୍ଚ୍ଚ ୧ରେ ଗୃହମନ୍ତ୍ରୀ ଅମିତ ଶାହ ପୁଡ଼ୁଚେରୀ ଗସ୍ତ କରିବେ। ଶାହଙ୍କ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୨୫ରେ ପୁଡ଼ୁଚେରୀ ଯିବେ।

ଗୃହମନ୍ତ୍ରୀ ଅମିତ ଶାହଙ୍କ ଏହା ପ୍ରଥମ ପୁଡ଼ୁଚେରୀ ଗସ୍ତ। ସେ ମାର୍ଚ୍ଚ ୧ରେ ପୁଡ଼ୁଚେରୀ ଆସି ପାର୍ଟି କମିଟି ବୈଠକର ଅଧ୍ୟକ୍ଷତା କରିବେ। ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଅମିତ ଶାହ ରୋଡ ଶୋ’ କରିବେ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ପୁଡୁଚେରୀରେ ଗତକାଲି ଆସ୍ଥା ଭୋଟ ହୋଇଥିଲା। ଗୃହରେ ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ୱାମୀ ବହୁମତ ସାବ୍ୟସ୍ତ କରିନପାରିବାରୁ କଂଗ୍ରେସ ସରକାର ଭାଙ୍ଗିଗଲା। କଂଗ୍ରେସର ୫ଜଣ ବିଧାୟକ ଓ ସହଯୋଗୀ ଡିଏମକେର ଜଣେ ବିଧାୟକ ବିଧାନସଭାରୁ ଇସ୍ତଫା ଦେବା ପରେ ନାରାୟଣସ୍ୱାମୀ ସରକାର ଅଳ୍ପମତରେ ଆସିଗଲା।