ଆଜି ୬ ରାଜ୍ୟରେ ବିଧାନସଭା ଉପନିର୍ବାଚନ ଭୋଟ ଗଣତି

ନୂଆଦିଲ୍ଲୀ,ଏଜେନ୍ସି: ଗତ ୩ ତାରିଖରେ ଓଡିଶା ସମେତ ୬ଟି ରାଜ୍ୟର ୭ଟି ବିଧାନସଭା ଆସନରେ ଉପନିର୍ବାଚନ ହୋଇଥିଲା । ଆଜି ୭ଟି ଯାକ ଆସନରେ ଭୋଟ ଗଣତି ହେବ । ଏହି ଉପନିର୍ବାଚନରେ ସମସ୍ତ ଆସନରେ ବିଜେପି ଓ ଆଞ୍ଚଳକି ଦଳ ମଧ୍ୟରେ କଡା ଟକ୍କର ହୋଇଥିବା ବେଳେ କିଏ କେଉଁଠି ବାଜିମାତ୍ କରିବ ହେବ ତାହା ଆଜି ଜଣାପଡିବ । ଓଡିଶାର ଧାମନଗର, ବିହାରର ମୋକମା ଓ ଗୋପାଳଗଞ୍ଜ, ମହାରାଷ୍ଟ୍ରର ଅନ୍ଧେରୀ ଇଷ୍ଟ, ହରିୟାଣାର ଆଦମପୁର, ତେଲେଙ୍ଗାନାର ମୁନୁଗୋଡେ, ଉତ୍ତରପ୍ରଦେଶର ଗୋଲା ଗୋକରନାଥରେ ଉପନିର୍ବାଚନ ହୋଇଥିଲା ।

ସୂଚନାଯୋଗ୍ୟ, ଏହି ୭ଟି ବିଧାନସଭା ଆସନରୁ ବିଜେପି ଓ କଂଗ୍ରେସ ଦୁଇଟି ଲେଖାଏଁ ଆସନରେ କ୍ଷମତାରେ ଥିଲେ । ଜେଡିୟୁ, ଶିବସେନା ଓ ଆରଜେଡି ଗୋଟିଏ ଲେଖାଏଁ ଆସନରେ କ୍ଷମତାରେ ରହିଥିଲେ । ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ କାରଣରୁ ଧାମନଗର ଆସନରେ ଉପନିର୍ବାଚନ ହୋଇଥିଲା । ସେହିପରି ତେଲେଙ୍ଗାନା ମୁନୁଗୋଡେରେ କଂଗ୍ରେସ ବିଧାୟକ ଥିବା ରାଜାଗୋପାଳ ରେଡ୍ଡୀ ଇସ୍ତଫା ଦେଇ ବିଜେପିରେ ମିଶିବା ପରେ ଏହି ଆସନ ଖାଲି ପଡିଥିଲା ।

ମହାରାଷ୍ଟ୍ରରେ ଶିବସେନା ବିଧାୟକ ରମେଶ ଲାଟକେଙ୍କ ଦେହାନ୍ତ ଯୋଗୁଁ ଅନ୍ଧେରୀ ଇଷ୍ଟରେ ଉପନିର୍ବାଚନ ହୋଇଛି । ପୂର୍ବତନ କଂଗ୍ରେସ ବିଧାୟକ କୁଳଦୀପ ବିଷ୍ଣୋଇଙ୍କ ଇସ୍ତଫା ପରେ ହରିୟାଣା ଆଦମପୁରରେ ଉପନିର୍ବାଚନ ଅନୁଷ୍ଠିତ ହୋଇଛି । ବିହାର ମୋକମାର ପୂର୍ବତନ ବିଧାୟକ ଅନନ୍ତ ସିଂହଙ୍କ ସଭ୍ୟପଦ ରଦ୍ଧ ଏବଂ ଗୋପାଳଗଞ୍ଜର ବିଜେପି ବିଧାୟକ ସୁବାଷ ସିଂଙ୍କ ନିଧନ ହେବା କାରଣରୁ ଏହି ଦୁଇଟି ଆସନରେ ମତଦାନ ହୋଇଛି ।