ଗୁଆହାଟି,ଏଜେନ୍ସି: ମହାମାରୀ କରୋନା କାଳରେ ଦାଉ ସାଧୁଛି ପ୍ରାକୃତିକ ବିପର୍ଯ୍ୟୟ। ଆସାମ ରାଜ୍ୟରେ ବନ୍ୟା ପରିସ୍ଥିତି ୨୬ ଜିଲ୍ଲାକୁ ପ୍ରଭାବିତ କରିଥିବା ବେଳେ ଜୁଲାଇ ୨୨ ପର୍ଯ୍ୟନ୍ତ ୮୯ ଜଣ ଏଥିରେ ପ୍ରାଣ ହରାଇଛନ୍ତି। ଏନେଇ ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏଏସଡିଏମ୍ଏ) ତରଫରୁ ସୂଚନା ଦିଆଯାଇଛି।
ଏଏସଡିଏମ୍ଏର ବନ୍ୟା ରିପୋର୍ଟ ଅନୁଯାୟୀ ବରପେଟା, ଦିବ୍ରୁଗଡ, କୋକରାଝର, ବଙ୍ଗାଇଗାଓଁ, ଟିନୁସ୍କିଆ ସମେତ ୨୬ଟି ଜିଲ୍ଲାର ୨୬,୩୧,୩୪୩ ଲୋକ ପ୍ରଭାବିତ ହୋଇଛନ୍ତି। ବ୍ରହ୍ମପୁତ୍ର ନଦୀରେ ଜଳର ପରିମାଣ ବଢ଼ିବାରେ ଲାଗିଛି। ଫଳରେ ଏହାର ଉପନଦୀ ଗତି କରିଥିବା ୨,୫୨୫ ଗ୍ରାମର ୧ ଲକ୍ଷରୁ ଊର୍ଦ୍ଧ୍ୱ ହେକ୍ଟର ଫସଲକୁ ପ୍ରଭାବିତ କରିଛି। ଅନ୍ୟପଟେ କାଜିରଙ୍ଗା ଜାତୀୟ ଉଦ୍ୟାନରେ ବନ୍ୟା ଯୋଗୁଁ ପ୍ରାୟ ୧୨୦ ପ୍ରାଣୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧୪୭ ଜଣଙ୍କୁ ଉଦ୍ଧାର କରାଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ବର୍ତ୍ତମାନ ୩୯୧ ରିଲିଫ୍ କ୍ୟାମ୍ପ/ବିତରଣ କେନ୍ଦ୍ର ମାଧ୍ୟମରେ ୪୫,୨୮୧ ଲୋକଙ୍କୁ ସାହାଯ୍ୟ କରାଯାଉଛି। ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏସଡିଆରଏଫ୍), ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏନଡିଆରଏଫ୍), ସର୍କଲ କାର୍ଯ୍ୟାଳୟ ଏବଂ ସ୍ଥାନୀୟ ଲୋକ ଏପର୍ଯ୍ୟନ୍ତ ୪୫୨ ଜଣଙ୍କୁ ଉଦ୍ଧାର କରିଛନ୍ତି। ଜଳସ୍ତର ବୃଦ୍ଧି ଯୋଗୁଁ ରାଜ୍ୟରେ ବନ୍ଧ, ରାସ୍ତା, ବ୍ରିଜ୍, କଲଭର୍ଟ ସମେତ ବହୁ ଘର ପ୍ରଭାବିତ ହୋଇଛି।
ବୁଧବାର ଦିନ ଆସାମକୁ ବନ୍ୟା ପରିଚାଳନା କାର୍ଯ୍ୟକ୍ରମ (ଏଫଏମପି) ଯୋଜନା ଅଧୀନରେ ୩୪୬ କୋଟି ଟଙ୍କା ଦେବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ସେହିପରି ବନ୍ୟାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୋୱାଲ ବୁଧବାର ଦିନ ଭିଡିଓ କନଫରେନ୍ସିଂ ଜରିଆରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କ ସହ ଏକ ବୈଠକ କରିଥିଲେ।