ନୂଆଦିଲ୍ଲୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ କେନ୍ଦ୍ର ମୃହ ମନ୍ତ୍ରଣାଳୟ ପକ୍ଷରୁ Z ପ୍ଲସ ଶ୍ରେଣୀର ସୁରକ୍ଷା ପ୍ରଦାନ କରାଯାଇଛି । ଏହାପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ Z ସୁରକ୍ଷା ଦିଆଯାଇଥିଲା । ଭାରତରେ କେଉଁଠିକୁ ଯିବା ଆସିବା ସମୟରେ ତାଙ୍କୁ ଏହି ସୁରକ୍ଷା ଦିଆଯିବ ବୋଲି ସୂଚନା ମିଳିଛି ।
ନିକଟରେ ଖୁଫିଆ ଏଜେନ୍ସି ଆଇବୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଜୀବନ ପ୍ରତି ଥିବା ବିପଦକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରଣାଳୟକୁ ଏକ ରିପୋର୍ଟ ପ୍ରଦାନ କରିଥିଲେ । ଏହାପରେ ହିଁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବଢ଼ାଇବାକୁ ନିଷ୍ପତ୍ତି ନିଆଯାଇଛି ।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଗତ ମାସ ହାଇଦ୍ରାବାଦ ଗସ୍ତ କରିଥିଲେ । ଏହି ସମୟରେ ତାଙ୍କ ସୁରକ୍ଷାରେ ବ୍ୟାଘାତ ଘଟିଥିବା ଦେଖିବାକୁ ମିଳିଥିଲା । ସେଠାରେ ଏକ ଜନସଭାକୁ ସମ୍ବୋଧିତ କରୁଥିବା ସମୟରେ ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ହାତରୁ ମାଇକ ଛଡ଼ାଇ ନେଇଥିଲା । ସମ୍ପୃକ୍ତ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କୁ କିଛି କହିବାକୁ ମଧ୍ୟ ଚେଷ୍ଟା କରୁଥିଲା କିନ୍ତୁ ସେଠାରେ ଉପସ୍ଥିତ ଥିବା ଲୋକ ତାକୁ କାବୁ କରିଥିଲେ । ସେଥିପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାର ସମୀକ୍ଷା କରିଥିଲା ।