ନୂଆ ଦଳ ଗଠନ କରିବେ ପୂର୍ବତନ କଂଗ୍ରେସ ନେତା ତନୱାର୍

ନୂଆଦିଲ୍ଲୀ, ଏଜେନ୍ସି : ହରିଆଣା କଂଗ୍ରେସର ପୂର୍ବତନ ମୁଖ୍ୟ ଅଶୋକ ତନୱାର୍ ଖୁବ୍ଶୀଘ୍ର ଏକ ନୂଆ ରାଜନୈତିକ ଦଳ ଲଞ୍ଚ୍ କରିବେ। ଏହି ଦଳ ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ଦେବ। ଦିଲ୍ଲୀରେ ପାନୀୟ ଜଳ ସଙ୍କଟ ଓ ବାୟୁ ପ୍ରଦୂଷଣ ଭଳି ଗୁରୁତର ସମସ୍ୟାକୁ ତନୱାର୍ଙ୍କ ପ୍ରସ୍ତାବିତ ଦଳ ପ୍ରସଙ୍ଗ କରି ନିର୍ବାଚନ ଲଢ଼ିବ। ‘ଦିଲ୍ଲୀ ବଚାଓ, ଦେଶ ବଚାଓ’ ପ୍ରସ୍ତାବିତ ଦଳର ମୁଖ୍ୟ ସ୍ଲୋଗାନ୍ ହେବ।

ହରିଆଣାରେ ଭୂପିନ୍ଦର ସିଂହ ହୁଡ୍ଡାଙ୍କ ସହ ମତଭେଦ ହେବାରୁ ତନୱାର୍ କଂଗ୍ରେସ ଛାଡ଼ିଲେ। ସେ ଗଣମାଧ୍ୟମକୁ କହିଛନ୍ତି, ନୂଆ ଦଳ ସମାଜର ସବୁବର୍ଗକୁ ପ୍ରାଧାନ୍ୟ ଦେବ। ଏହାଛଡ଼ା ସହରରେ ଥିବା ଦଳିତ ଓ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ତାଙ୍କ ପ୍ରସ୍ତାବିତ ଦଳ ପ୍ରାଥମିକତା ଦେଇ କାର୍ଯ୍ୟ କରିବ। ଆସନ୍ତାବର୍ଷ ପ୍ରାରମ୍ଭରେ ଦିଲ୍ଲୀ ବିଧାନସଭା ନିର୍ବାଚନ କରାଯିବ। ଏବେ ଜାତୀୟ ରାଜଧାନୀରେ ଆମ୍ ଆଦ୍ମୀ ପାର୍ଟିର ସରକାର ରହିଛି। ଏହି ଦଳ ପୁଣି କ୍ଷମତାକୁ ଫେରିବା ନେଇ ଦୃଢ଼ ଆଶାବାଦୀ ରହିଛି। ଅପରପକ୍ଷରେ ବିଜେପି ଦିଲ୍ଲୀର କ୍ଷମତା ଅକ୍ତିଆର କରିବା ଲକ୍ଷ୍ୟରେ ରହିଛି।