ମୁମ୍ବାଇ: ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ୟ୍ୟନ ଖାନଙ୍କ ଜାମିନ୍ ଆବେଦନର ଶୁଣାଣି ଆଜି ବି ବମ୍ବେ ହାଇକୋର୍ଟରେ ଅସମାପ୍ତ ରହିଛି। ଫଳରେ କାଲି ଅପରାହ୍ନ ୩ଟା ବେଳେ ପୁଣିଥରେ ଶୁଣାଣି ହେବ। ସମୟ ଅଭାବରୁ ଶୁଣାଣି କାଲି ପର୍ଯ୍ୟନ୍ତ ଘୁଞ୍ଚିଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ଆର୍ୟ୍ୟନଙ୍କ ଜାମିନ ଆବେଦନର ଶୁଣାଣି ମଙ୍ଗଳବାର ବମ୍ବେ ହାଇକୋର୍ଟରେ ହୋଇଥିଲା। ଆର୍ୟ୍ୟନଙ୍କ ତରଫରୁ ବରିଷ୍ଠ ଓକିଲ ମୁକୁଲ ରହତୋଗୀ କହିଥିଲେ କି, ତାଙ୍କ ମହକିଲଙ୍କ ପାଖରୁ ଡ୍ରଗ୍ସ ଜବତ ହୋଇନଥିଲା। ସେଥିପାଇଁ ତାଙ୍କୁ ଗିରଫ କରାଯିବା ସମ୍ପୂର୍ଣ୍ଣରୂପେ ଭୁଲ୍। ଆର୍ୟ୍ୟନଙ୍କୁ ଉକ୍ତ ଇଭେଣ୍ଟରେ ଅତିଥୀ ରୂପେ ଡକାଯାଇଥିଲା। ଆଜି ବି ଆର୍ୟ୍ୟନଙ୍କ ତରଫରୁ ଶ୍ରୀ ରହତୋଗୀ ଜୋରଦାର ଯୁକ୍ତି ବାଢ଼ିଥିଲେ। ଅନ୍ୟପଟେ ଅଭିଯୁକ୍ତ ଆର୍ୟ୍ୟନ ଖାନଙ୍କ ସମେତ ଅରବାଜ ମର୍ଚ୍ଚେଣ୍ଟ ଓ ମୁନମୁନ ଧମେଚାଙ୍କ ଓକିଲ ଆଜି ନିଜ ନିଜ ପକ୍ଷ ରଖିଥିବାବେଳେ କାଲି ଏନସିବି ତରଫରୁ ଏଏସଜି ତାଙ୍କ ପକ୍ଷ ରଖିବେ ବୋଲି ଜଣାପଡ଼ିଛି।