କୋଲକାତା,ଏଜେନ୍ସି: ଶିକ୍ଷକ ଭର୍ତ୍ତି ଦୁର୍ନୀତିରେ ଫସିଥିବା ପଶ୍ଚିମବଙ୍ଗର କ୍ୟାବିନେଟ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କର ନିକଟତର ତଥା ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ସୋମବାର ପିଏମ୍ଏଲଏ କୋର୍ଟରେ ହାଜର କରାଯାଇଛି । କୋର୍ଟ ଶୁଣାଣି ପରେ ପାର୍ଥ ଓ ଅର୍ପିତାଙ୍କୁ ଅଗଷ୍ଟ ୩ ତାରିଖ ଯାଏଁ ଇଡି ହେପାଜତକୁ ପଠାଇ ଦେଇଛନ୍ତି । ଇଡିର ଏହା ବି କହିବାର ଅଛି ଯେ, ଅର୍ପିତା ପଚରାଉଚରା ସମୟରେ ସ୍ୱୀକାର କରିଛନ୍ତି ଯେ, ଟଙ୍କା ପାର୍ଥଙ୍କର ଥିଲା ।
କୋର୍ଟରେ ଇଡିର କହିବାର ଥିଲା ଯେ, ଏହା ଏକ ସମ୍ବେଦନଶୀଳ ଦୁର୍ନୀତି । ଏହି ୨ ଜଣଙ୍କୁ ଅଧିକ ପଚରାଉଚରା କରିବାର ଆବଶ୍ୟକତା ରହିଛି । ଏହି ମାମଲାରେ ପାଖାପାଖି ୨୨ କୋଟି ଜବତ ହୋଇଛି । ୧୦୦ କୋଟିରୁ ଅଧିକ ଆହୁରି ରିକୋଭରି ହେବାର ଅଛି । ଇଡି କୋର୍ଟରେ ଅର୍ପିତା ଓ ପାର୍ଥ ଚାଟାର୍ଜୀଙ୍କୁ ୧୪ ଦିନିଆ ରିମାଣ୍ଡ ମାଗିଥିଲା । ଇଡି କହିଥିଲା ଯେ, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ପାର୍ଥ ଚାଟାଜୀଙ୍କ ନିକଟତର ସହଯୋଗୀ ଅର୍ପିତା ମୁଖାର୍ଜୀ ଆର୍ଥିକ ନେଣଦେଣରେ ତ୍ରୁଟି ଆଣିବା ପାଇଁ ପାଖାପାଖି ୧୨ଟି ନକଲି କଂପାନୀ ପରିଚାଳିତ କରୁଥିଲା ।