ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀ ଦଙ୍ଗା ପଛରେ ଆପ୍ ନେତାଙ୍କ ହାତ । ଆପ୍ ନେତାଙ୍କ ଘରୁ ବାହାରିଲା ବହୁ ପରିମାଣର ପେଟ୍ରୋଲ ବମ୍ ଓ ପଥର । ଦିଲ୍ଲୀରେ ହିଂସା ଥମିବାର ନାଁ ଧରୁନି । ହିଂସା କାଣ୍ଡ ଯୋଗୁଁ ଏବେ ସୁଦ୍ଧା ୩୫ ଜଣଙ୍କ ଜୀବନ ଚାଲିଗଲାଣି । ଆହୁରି ଅନେକ ଏବେ ବି ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତେଣୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି ।
ଆପ୍ ନେତା ତଥା ଦିଲ୍ଲୀର ଜଣେ କର୍ପୋରେଟର, ତାହିର ହୁସେନଙ୍କ ଘରୁ ବହୁ ପରିମାଣରେ ପେଟ୍ରୋଲ ବୋମା ଓ ପଥର ଜବତ କରାଯାଇଛି । ଗୋଟିଏ ପଟେ ଦଙ୍ଗାକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ନିନ୍ଦା କରୁଥିବା ବେଳେ ଏପଟେ ତାଙ୍କରି ଦଳର ନେତା ଦଙ୍ଗାକୁ ପ୍ରୋତ୍ସାହନ ଦେଉଥିବା କଥା ସାମ୍ନାକୁ ଆସିଛି । ତାହିର ହୁସେନ୍ଙ୍କ ଘରୁ ଏଭଳି ସାମଗ୍ରୀ ଜବତ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଖାଲି ସେତିକି ନୁହେଁ ଦଙ୍ଗା ସମୟରେ ତାହିର ହୁସେନ ନିଜ ଛାତ ଉପରେ ବୁଲୁଥିବା ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି । ଅନେକ ଜାତୀୟ ଗଣମାଧ୍ୟମର କହିବାନୁଯାୟୀ ତାହିରଙ୍କ ଘରୁ ପେଟ୍ରୋଲ ବୋମା ସମେତ ଏସିଡ୍ ପ୍ୟାକେଟ୍ ମଧ୍ୟ ଜବତ କରାଯାଇଛି ।
ତେବେ ଏତେ ସବୁ ପ୍ରମାଣ ମିଳିଥିଲେ ମଧ୍ୟ ତାହିର ହୁସେନ୍ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ହିଂସା ସମୟରେ ଦଙ୍ଗାକାରୀମାନେ ତାଙ୍କ ଘରକୁ କବ୍ଜା କରିନେଇଥିଲେ ବୋଲି ତାହିର ପାଲଟା ଅଭିଯୋଗ କରିଛନ୍ତି ।