ଜାମିଆ ଛାତ୍ରଙ୍କୁ ଫାୟାରିଂ ଘଟଣାରେ ଦୋଷୀକୁ ଛାଡ଼ି ଦିଆଯିବ ନାହିଁ: ଅମିତ ଶାହ

ନୂଆଦିଲ୍ଲୀ,ଏଜେନ୍ସି: ନାଗରିକତା ସଂଶୋଧନ ଆଇନ୍ (ସିଏଏ)କୁ ବିରୋଧ କରି ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟର ଛାତ୍ରମାନେ ଶୋଭାଯାତ୍ରାରେ ଯାଉଥିଲାବେଳେ ସେମାନଙ୍କ ଉପରକୁ ଗୁଳି ଚଳାଇଥିବା ଗୋପାଲ ଶର୍ମା ନାମକ ଆକ୍ରମଣକାରୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି। ସେ କହିଛନ୍ତି, ଦୋଷୀକୁ ଆଦୌ ଛାଡ଼ି ଦିଆଯିବ ନାହିଁ।

ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହ ଏହି ଅବସରରେ ଦିଲ୍ଲୀ ପୁଲିସ କମିଶନରଙ୍କ ସହ ଆଲୋଚନା କରିଛନ୍ତି। ସେ କହିଛନ୍ତି, ଅଭିଯୁକ୍ତ ବିରୋଧରେ କଠୋର ପଦକ୍ଷେପ ନେବାକୁ ମୁଁ ପୁଲିସ କମିଶନରଙ୍କୁ କହିଛି। କେନ୍ଦ୍ର ସରକାର ଆଦୌ ଏଭଳି ଘଟଣାକୁ ବରଦାସ୍ତ କରିବେ ନାହିଁ। ଏହାକୁ ଅତି ଗୁରୁତର ଭାବେ ସରକାର ଗ୍ରହଣ କରି ବିହିତ ପଦକ୍ଷେପ ନେଉଛନ୍ତି। ଶାହ ହିନ୍ଦୀରେ ଟ୍ୱିଟ୍ କରି ଏହା କହିଛନ୍ତି।