ନୂଆଦିଲ୍ଲୀ,ଏଜେନ୍ସି: ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଗତକାଲି ରାତି ପ୍ରାୟ ୧୧ଟା ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ପୁଣି ଥରେ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଶନିବାର ବିଳମ୍ବିତ ରାତିରେ ଶ୍ରୀ ଶାହା ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି। ଏମ୍ସ ପକ୍ଷରୁ କୁହାଯାଇଛି ଯେ, କିଛି ଦିନ ହସ୍ପିଟାଲରେ ରହିବା ଗୃହମନ୍ତ୍ରୀଙ୍କ ପାଇଁ ଉଚିତ୍ ହେବ। ସେଠାରେ ତାଙ୍କର ଉଚିତ୍ ଚିକିତ୍ସା କରାଯିବ।
ଉଲ୍ଲେଖଯୋଗ୍ୟ ଅମିତ ଶାହ ଗତ କିଛି ଦିନ ତଳେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ଏକ ଟିମ୍ ତାଙ୍କର ଚିକିତ୍ସା କରୁଥିଲେ। ଚିକିତ୍ସାର ଦୁଇ ସପ୍ତାହ ପରେ ସେ ସୁସ୍ଥ ହୋଇ ଅଗଷ୍ଟ ୧୪ରେ ଘରକୁ ଫେରିଥିଲେ।