ତାଣ୍ଡବ ସିରିଜ: କ୍ଷମା ପ୍ରାର୍ଥନା କଲା ଆମାଜନ ପ୍ରାଇମ ଭିଡିଓ

ନୂଆଦିଲ୍ଲୀ,ଏଜେନ୍ସି: ନିକଟରେ ଆମାଜନ୍ ପ୍ରାଇମ୍ ଭିଡିଓରେ ରିଲିଜ୍ ହୋଇଥିବା ୱେବ୍ ସିରିଜ୍ ‘ତାଣ୍ଡବ’ ବହୁ ଚର୍ଚ୍ଚାକୁ ଆସିଛି। ଏହି ୱେବ୍ ସିରିଜରେ ଦେଖାଯାଇଥିବା କିଛି ଦୃଶ୍ୟ ହିନ୍ଦୁ ଦେବା-ଦେବୀଙ୍କୁ ଅପମାନିତ କରୁଛି। ଏହି ଦୃଶ୍ୟ ଦେଖି ଦର୍ଶକଙ୍କ ଭାବନା ଆଘାତ ପାଇଥିବା ଅଭିଯୋଗ ହୋଇଥିଲା। ବର୍ତ୍ତମାନ ଆମାଜନ ଏହି ‘ଆପତ୍ତିଜନକ ଦୃଶ୍ୟ’ରେ କ୍ଷମା ମାଗି ଏକ ବିବୃତ୍ତି ଜାରି କରିଛି।

ଆମାଜନ ପ୍ରାଇମ ଭିଡିଓ ଏକ କ୍ଷମା ପ୍ରାର୍ଥନା କରି କହିଛି, “ଆମାଜନ ପ୍ରାଇମ ଭିଡିଓ ଅତ୍ୟନ୍ତ ଦୁଃଖିତ ଯେ ଦର୍ଶକମାନେ ନିକଟରେ ଆରମ୍ଭ ହୋଇଥିବା କାଳ୍ପନିକ ଧାରାବାହିକ ‘ତାଣ୍ଡବ’ର କିଛି ଦୃଶ୍ୟକୁ ଆପତ୍ତିଜନକ ମନେ କରିଛନ୍ତି। କାହାର ଭାବନାକୁ ଆଘାତ କରିବା ଆମର ଉଦ୍ଦେଶ୍ୟ ନୁହେଁ। ସେହି ଆପତ୍ତିଜନକ ଦୃଶ୍ୟଗୁଡିକୁ ସିରିଜରୁ ଏଡିଟ୍ କରିଦିଆଯାଇଛି।

ଏଥିସହିତ “ଆମେ ଆମର ଦର୍ଶକଙ୍କ ବିବିଧ ବିଶ୍ୱାସକୁ ସମ୍ମାନ ଦେଉଛୁ ଏବଂ ଆଘାତପ୍ରାପ୍ତ ଦର୍ଶକଙ୍କୁ କ୍ଷମା ପ୍ରାର୍ଥନା କରୁଛୁ। ଆମେ ଆମର ଅଂଶୀଦାରମାନଙ୍କ ସହିତ ଅଧିକ ମନୋରଞ୍ଜନ ପ୍ରସଙ୍ଗକୁ ବିକଶିତ କରିବା, ଭାରତୀୟ ନିୟମ ମାନିବା ଏବଂ ଆମ ଦର୍ଶକଙ୍କ ସଂସ୍କୃତି ଏବଂ ବିଶ୍ୱାସକୁ ସମ୍ମାନ ଦେବା ପାଇଁ ପ୍ରତିବଦ୍ଧ।

ସୂଚନା ଅନୁସାରେ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ନେଇ ଆହ୍ଲାବାଦ ହାଇକୋର୍ଟରେ ଆମାଜନ ଭାରତର ମୁଖ୍ୟ ଅପର୍ନା ପୁରୋହିତଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଅପର୍ନା ପୁରୋହିତଙ୍କ ଦ୍ୱାରା ଭାରତୀୟ ଦଣ୍ଡବିଧି ସଂହିତା ଧାରା ୧୫୩ (କ) (୧) (ବି), ୨୯୫-ଏ, ୫୦୫ (୧) (ବି) ୫୦୫ (୨) ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମର ଧାରା ୬୬ ଏବଂ ୬୭ ଏବଂ ଏସସି/ଏସଟି ଅଧିନିୟମର ଧାରା ୩ (୧) (ଆର)ରେ ଅଗ୍ରିମ ଜାମିନ ଆବେଦନ କରାଯାଇଥିଲା। ଏଥିରେ କୋର୍ଟ ତାଙ୍କୁ ଜାମିନ ଦେବାକୁ ମନା କରିଦେଇଥିଲେ।