ସମ୍ପୂର୍ଣ୍ଣ କର୍ମଚାରୀଙ୍କୁ ନେଇ ଚାଲିବ ଅଫିସ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଛି। ରାଜ୍ୟ ସରକାର ପୁନଶ୍ଚ ଅଫିସରେ ଶତପ୍ରତିଶତ କର୍ମଚାରୀଙ୍କ ଉପସ୍ଥାନକୁ ବାଧ୍ୟତାମୂଳକ କରିଛନ୍ତି। ଯେଉଁମାନେ ସ୍ୱାସ୍ଥ୍ୟଗତ ବା ଅନ୍ୟ କୌଣସି ସମସ୍ୟା କାରଣରୁ କୋଭିଡ୍ ଟିକା ନେଇପାରିନାହାନ୍ତି ସେମାନେ ଲିଖିତଭାବେ ନିଜର ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇବେ। ଏହାସହିତ ପୁଣିଥରେ ରାଜ୍ୟର ସମସ୍ତ ସରକାରୀ ଅଫିସ ଶନିବାର ଛୁଟି ରହିବ ବୋଲି ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି।
ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜିବ ଚୋପ୍ରା ଜୁଲାଇ ୧୬ ତାରିଖରୁ ସରକାରୀ ଅଫିସଗୁଡ଼ିକ ପରିଚାଳନା ନିମନ୍ତେ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ସମସ୍ତ ଅଫିସ ଶତ ପ୍ରତିଶତ କର୍ମଚାରୀରେ କାର୍ଯ୍ୟ କରିବ। ଅଧିକାଂଶ କର୍ମଚାରୀଙ୍କର ସମ୍ପୂର୍ଣ୍ଣ ଟିକାକରଣ ହୋଇସାରିଥିବାବେଳେ ସେମାନେ ନିୟମିତ ଅଫିସ ଆସିବା ବାଧ୍ୟତାମୂଳକ ହୋଇଛି। ସେଭଳି ପ୍ରତ୍ୟେକ ଆବେଦନକୁ ବିଚାର କରାଯାଇ ନିଷ୍ପତ୍ତି ନିଆଯିବ। ତେବେ ଯେଉଁ କର୍ମଚାରୀମାନେ ଟିକା ନେଇନଥିବେ ଅବା ଆବେଦନ କରି ରିହାତି ପାଇନଥିବେ ସେମାନଙ୍କୁ ଜୁଲାଇ ୧୬ରୁ ଅଫିସ ଆସିବାକୁ ଅନୁମତି ମିଳିବ ନାହିଁ। ଆଉ ସେମାନଙ୍କର ଅନୁପସ୍ଥିତିକୁ ଉଦ୍ଦେଶ୍ୟମୂଳକ ବିବେଚନା କରାଯିବ। ଏସବୁ ବ୍ୟତୀତ ଅଫିସଗୁଡ଼ିକରେ କୋଭିଡ୍ ନିୟମ କଡ଼ାକଡ଼ି ପାଳନ ପାଇଁ ମଧ୍ୟ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ସମସ୍ତ ଅଫିସ ଶନିବାର ବନ୍ଦ ରହିବ ବୋଲି ସରକାରୀ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି। ସୂଚନାଯୋଗ୍ୟ, ଗତ କିଛିଦିନ ଧରି ଶନିବାର ଛୁଟିକୁ ରାଜ୍ୟ ସରକାର ପ୍ରତ୍ୟାହାର କରିନେଇଥିଲେ।