ପେପରଲେସ୍ ହେବ ରାଜ୍ୟର ସମସ୍ତ ପାକ୍ସ

ଭୁବନେଶ୍ବର,ଏନ୍ଏନ୍ଏସ୍: ଆସନ୍ତା ୧୦ ତାରିଖରୁ ପେପରଲେସ୍ ହେବ ରାଜ୍ୟର ସମସ୍ତ ପ୍ରାଥମିକ କୃଷି ସମବାୟ ସମିତି ବା ପାକ୍ସ । ଏହି ପାକ୍ସ ଗୁଡିକରେ ଅନଲାଇନ କାର୍ଯ୍ୟ ସମ୍ପାଦନ ପାଇଁ ସମିତିର ସମ୍ପାଦକ ଓ ଡିଇଓ ମାନଙ୍କୁ ମାଷ୍ଟର ଟ୍ରେନରମାନେ ଚଳିତ ମାସ ୨୫ ତାରିଖ ସୁଦ୍ଧା ଆବଶ୍ୟକ ତାଲିମ୍ ପ୍ରଦାନ କରିବେ । ସମବାୟ ବିଭାଗରେ ୫ଟି ଆଧାରରେ ସମସ୍ତ କାର୍ଯ୍ୟ ସମ୍ପାଦନ କରିବା ଉପରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଗୁରୁତ୍ବାରୋପ କରିଛନ୍ତି ।

ସମବାୟ ବିଭାଗରେ ୫ଟି ଆଧାରରେ ସମସ୍ତ କାର୍ଯ୍ୟ ସମ୍ପାଦନ ଉପରେ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଗୁରୁତ୍ବାରୋପ କରିଛନ୍ତି । ରାଜ୍ୟର ସମସ୍ତ ୨୭୧୦ ଗୋଟି ପ୍ରାଥମିକ କୃଷି ସମବାୟ ସମିତି ଗୁଡିକୁ କମ୍ପ୍ୟୁଟରୀକରଣ କରାଯିବ । ଚାଷୀମାନଙ୍କୁ ସେବା ପ୍ରଦାନ କରିବା ଦିଗରେ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ପାକ୍ସ ଗୁଡିକର କମ୍ପ୍ୟୁଟରୀକରଣ ସଂପର୍କରେ ମନ୍ତ୍ରୀ ସମୀକ୍ଷା କରିଛନ୍ତି ।

ରାଜ୍ୟରେ ୨୭୧୦ଟି ପାକ୍ସ ଥିବାବେଳେ ଆସନ୍ତା ଅକ୍ଟୋବର ପହିଲା ସୁଦ୍ଧା ୨୬୦୦ଟି ପାକ୍ସର କମ୍ପ୍ୟୁଟରୀକରଣ ସହିତ ଡାଟା ଏଟ୍ରିଂ ଅପରେଟର (ଡିଇଓ) ବା ଆବଶ୍ୟକ ମାନବ ସମ୍ବଳ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବିଭାଗ ପକ୍ଷରୁ ପଦାଧିକାରୀମାନେ କ୍ଷେତ୍ର ଉପରେ କାର୍ଯ୍ୟ ତଦାରଖ କରୁଛନ୍ତି । କମ୍ପ୍ୟୁଟରୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସହିତ ଆସନ୍ତା ୧୦ ତାରିଖରୁ ପାକ୍ସ ଗୁଡିକ ପେପରଲେସ୍ ଭାବେ କାର୍ଯ୍ୟ ସମ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି ।