ଷ୍ଟକହୋମ,ଏଜେନ୍ସି: ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଉତ୍କୃଷ୍ଟତା ପାଇଁ ଚଳିତ ବର୍ଷର ନୋବେଲ ପୁରସ୍କାର ଘୋଷଣା । ନୋବେଲ୍ ତାଲିକାରେ ଅଛନ୍ତି ୩ ଜଣ ପଦାର୍ଥ ବିଜ୍ଞାନୀ । ଆଲେନ୍ ଆସପେକ୍ଟ, ଜନ୍ କ୍ଲଜର ଏବଂ ଆଣ୍ଟନ୍ ଜେଲିଞ୍ଜର୍ଙ୍କୁ ମିଳିବ ନୋବେଲ । ସ୍ୱିଡେନର ଷ୍ଟକହୋମ ସ୍ଥିତ କାରୋଲିନସ୍କା ପ୍ରତିଷ୍ଠାନରେ ମଙ୍ଗଳବାର ପଦାର୍ଥ ବିଜ୍ଞାନୀ ନୋବେଲ ବିଜେତାଙ୍କ ନାମ ଘୋଷଣା କରାଯାଇଛି ।
ସ୍ୱିଡେନର ଷ୍ଟକହୋମ ସ୍ଥିତ କାରୋଲିନସ୍କା ପ୍ରତିଷ୍ଠାନରେ ମଙ୍ଗଳବାର ମିଳିତ ଭାବେ ତିନି ଜଣ ପଦାର୍ଥ ବିଜ୍ଞାନୀ ନୋବେଲ ବିଜେତାଙ୍କ ନାମ ଘୋଷଣା କରାଯାଇଛି । ଏହି ତିନିଜଣ ନୋବେଲ ବିଜେତା, କ୍ୱାଣ୍ଟମ୍ ସ୍ଥିତିକୁ ବ୍ୟବହାର କରି ଗ୍ରାଉଣ୍ଡବ୍ରେକିଙ୍ଗ୍ ପରୀକ୍ଷଣ କରିଥିଲେ, ଯେଉଁଥିରେ ଦୁଇଟି ପାର୍ଟିକିଲ୍ ଅଲଗା ହେବା ପରେ ମଧ୍ୟ ଗୋଟିଏ ୟୁନିଟ୍ ପରି ଆଚରଣ କରୁଥିବା ଦର୍ଶାଇଥିଲେ । କ୍ୱାଣ୍ଟମ୍ ସୂଚନା ଉପରେ ଆଧାର କରି ସେମାନଙ୍କର ଏହି ଅନୁସନ୍ଧାନ ନୂତନ ଟେକ୍ନୋଲୋଜି ପାଇଁ ବେଶ୍ ସହାୟକ ହେବ ।ତେବେ ଗତକାଲି ମେଡିସିନ୍(ଭେଷଜ) କ୍ଷେତ୍ରରେ ସ୍ବାନ୍ତେ ପାବୋଙ୍କ ନାମ ଘୋଷଣା କରାଯାଇଥିଲା । ସେହିପରି ବୁଧବାର ରସାୟନ ବିଜ୍ଞାନ ଏବଂ ଗୁରୁବାର ସାହିତ୍ୟ କ୍ଷେତ୍ରରେ ନୋବେଲ ବିଜେତାଙ୍କ ନାମ ଘୋଷଣା କରାଯିବ । ୨୦୨୨ ନୋବେଲ ଶାନ୍ତି ପୁରସ୍କାର ଶୁକ୍ରବାର ଏବଂ ଅକ୍ଟୋବର ୧୦ ରେ ଅର୍ଥନୀତି ପୁରସ୍କାର ଘୋଷଣା କରାଯିବ । ଅକ୍ଟୋବର 3ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ।
ଏହି ପୁରସ୍କାରରେ ୧୦ ନିୟୁତ ସ୍ୱିଡେନ କ୍ରୋନୋର (ପ୍ରାୟ ୯୦୦,୦୦୦ ଡଲାର) ପୁରସ୍କାର ରହିଛି । ଡିସେମ୍ବର ୧୦ରେ ବିଜେତାଙ୍କୁ ପୁରସ୍କାର ଅର୍ଥରାଶି ପ୍ରଦାନ କରାଯିବ । ତେବେ ସ୍ୱିଡେନର ଉଦ୍ଭାବକ ଆଲଫ୍ରେଡ ନୋବେଲ ଏହି ସମ୍ମାନଜନକ ପୁରସ୍କାରର ସୃଷ୍ଟିକର୍ତ୍ତା । ତାଙ୍କ ନାମ ଅନୁସାରେ ନୋବେଲ ପୁରସ୍କାର ପ୍ରଦାନ କରାଯାଉଛି ।