ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀଙ୍କ ନିକଟତର ତଥା ପୂର୍ବତନ ଆଇଏଏସ ଅଫିସର ଏକେ ଶର୍ମା ହେବେ ଉତ୍ତରପ୍ରଦେଶ ବିଜେପିର ଉପ ସଭାପତି। ସୂଚନା ଅନୁସାରେ ଏହି ନିର୍ବାଚନ ମଣ୍ଡଳୀରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବ। ଚଳିତବର୍ଷ ପ୍ରାରମ୍ଭରେ ତାଙ୍କୁ କୋଭିଡ ବିରୋଧରେ ଜାରି ରହିଥିବା ଲଢ଼େଇର ତଦାରଖ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନୀ କ୍ଷେତ୍ର ବାରଣାସୀକୁ ପଠାଯାଇଥିଲା।
ସୂଚନା ଅନୁସାରେ ବିଜେପିର ରାଜ୍ୟ ସଭାପତି ସ୍ୱତନ୍ତ୍ର ଦେବ ସିଂହ ଦଳର ରାଜ୍ୟ ପଦାଧିକାରୀଙ୍କ ଘୋଷଣା କରିଛନ୍ତି। ଏଥିରେ ଜଣେ ରାଜ୍ୟ ଉପ ସଭାପତି ଓ ଦୁଇଜଣ ରାଜ୍ୟ ମନ୍ତ୍ରୀ ରହିଛନ୍ତି। ରାଜ୍ୟ ଉପ ସଭାପତି ଭାବେ ମଉ ନିର୍ବାଚନ ମଣ୍ଡଳୀର ଏକେ ଶର୍ମାଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଲଖନଉର ଅର୍ଚ୍ଚନା ମିଶ୍ର ଓ ବୁଲନ୍ଦଶହରର ଅମିତ ବାଲ୍ମୀକିଙ୍କୁ ରାଜ୍ୟ ମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି।