ଦେଶର ସ୍ୱାର୍ଥକୁ ରକ୍ଷା କରିବା ପାଇଁ ବାୟୁସେନା ସବୁ ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ : ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ: ହିଂଡନ ଏୟାରଫୋର୍ସ ଷ୍ଟେସନରେ ଭାରତୀୟ ବାୟୁସେନା ୮୮ତମ ସ୍ଥାପନା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବାୟୁସେନା ମୁଖ୍ୟ ରାକେଶ କୁମାର ସିଂହ ଭଦୋରିୟା ଯୁଦ୍ଧ ସେବା ମେଡାଲ, ବାୟୁସେନା ମେଡାଲ, ବିଶିଷ୍ଟ ସେବା ମଣ୍ଡଳ ଓ ୟୁନିଟ ପ୍ରଶଂସା ପ୍ରଦାନ କରିଛନ୍ତି। ଶ୍ରୀ ଭଦୋରିୟା ଚୀନ ସୀମାରେ ମୁତୟନ ହୋଇଥିବା ବାୟୁ ଯୋଦ୍ଧାଙ୍କ ପ୍ରଶଂସା କରିବାକୁ ଯାଇ କହିଛନ୍ତି ଯେ, ‘ଦେଶର ସ୍ୱାର୍ଥକୁ ରକ୍ଷା କରିବା ପାଇଁ ବାୟୁସେନା ସମସ୍ତ ପ୍ରକାର ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ।’

ଭଦୋରିୟା ଆହୁରି କହିଛନ୍ତି ଯେ, ଚଳିତ ବର୍ଷ ବାସ୍ତବରେ ଖୁବ୍ ବିଚିତ୍ର ରହିଲା। ସମଗ୍ର ବିଶ୍ୱରେ କୋଭିଡ-୧୯ ଖୁବ୍ ଦ୍ରୁତ ଗତିରେ ବ୍ୟାପିଲା। ଆମ ଦେଶ ମଧ୍ୟ ଏହାର ସାମ୍ନା ଦୃଢ଼ ଭାବେ କରିଛି। ଆଗାମୀ ବର୍ଷ ଅନ୍ତରିକ୍ଷ କ୍ଷେତ୍ରର ମହତ୍ତ୍ୱ ବଢ଼ାଇ ହେବ। ଡ୍ରୋନ ଭଳି ବିକଳ୍ପ ଉପରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ନିକଟରେ ରାଫେଲ, ଚିନୁକ, ଯୁଦ୍ଧ ବିମାନ ସାମିଲ ହେବା ପରେ ବାୟୁସେନାର କ୍ଷମତା ଆହୁରି ବୃଦ୍ଧି ପାଇଛି।