କାର୍ତ୍ତିକଙ୍କୁ ଉପହାରରେ ମିଳିଲା ଦାମୀ ଗାଡ଼ି

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଅଭିନୀତ ଫିଲ୍ମ ‘ଭୁଲ ଭୁଲେୟା୨’ ସଫଳତାର ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି । ଭୂଷଣ କୁମାରଙ୍କ ପ୍ରଯୋଜନାରେ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମଟି ମାସକ ମଧ୍ୟରେ ୧୮୫ କୋଟି ଟଙ୍କା ରୋଜଗାର କରିବାରେ ସଫଳ ହୋଇଛି । ଫିଲ୍ମର ସଫଳତାର ଖୁସିରେ କାର୍ତ୍ତିକଙ୍କୁ ଭୂଷଣ କୁମାର ଏକ ଖାସ୍ ଉପହାର ଭେଟିଛନ୍ତି । କାର୍ତ୍ତିକଙ୍କୁ ଭୂଷଣ ଏକ ମାକଲାରେନ କାର ଉପହାରସ୍ୱରୂପ ଦେଇଛନ୍ତି । ଫଳରେ କାର୍ତ୍ତିକ ଭାରତର ପ୍ରଥମ ବ୍ୟକ୍ତି ଭାବେ ୪ କୋଟି ଟଙ୍କା ମୂଲ୍ୟର ଏହି କାରର ମାଲିକାନା ହାସଲ କରିପାରିଛନ୍ତି ।

ଭୂଷଣ କୁମାର ଦେଇଥିବା ଏହି ଉପହାର ସମ୍ପର୍କରେ ନିଜେ କାର୍ତ୍ତିକ ଫଟୋ ସହ ସେୟାର କରିଛନ୍ତି । ଏଥିସହିତ ଆଗାମୀ ଉପହାରରେ ଘରୋଇ ଜେଟ ଦେବାକୁ କାର୍ତ୍ତିକ କୌତୁକିଆ ଢଙ୍ଗରେ ଭୂଷଣଙ୍କୁ କହିଛନ୍ତି ।

ସୂଚନାଯୋଗ୍ୟ, ୨୦୧୮ରେ ରିଲିଜ ହୋଇଥିବା କାର୍ତ୍ତିକ ଆର୍ଯ୍ୟନଙ୍କ ସୁପରହିଟ ଫିଲ୍ମ ‘ସନୁ କି ଟିଟୁ କି ସ୍ୱିଟି’ର ପ୍ରଯୋଜନା ଭାର ଭୂଷଣ କୁମାର ସମ୍ଭାଳିଥିଲେ । ସେବେଠୁ ବର୍ତ୍ତମାନ ରିଲିଜ ହୋଇଥିବା ଫିଲ୍ମ ‘ଭୁଲ ଭୁଲେୟା୨’ ପର୍ଯ୍ୟନ୍ତ କାର୍ତ୍ତିକ ଓ ଭୂଷଣଙ୍କ ମଧ୍ୟରେ ଏକ ଭଲ ସମ୍ପର୍କ ରହିଛି । କେବଳ ଏତିକି ନୁହେଁ, ଏହି ୨ ସୁପରହିଟ ଯୋଡ଼ିଙ୍କ ଆଗାମୀ ଫିଲ୍ମ ହେଉଛି ‘ସେହେଜାଦା’ ।