୧୦ମ ଏସିଆନ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ ଓଡିଆ ଫିଲ୍ମ ଏଡିୟୁ ଗୋଦାର

ହାଇଦ୍ରାବାଦ,ଏଜେନ୍ସି: ୧୦ମ ଏସିଆନ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବା ପାଇଁ ମନୋନୀତ ହୋଇଛି ଓଡିଆ ଫିଚର ଚଳଚ୍ଚିତ୍ର ‘ଏଡିୟୁ ଗୋଦାର’। ସ୍ପେନର ବାର୍କେଲୋନାରେ ଅନୁଷ୍ଠିତ ୧୦ମ ଏସିଆ ଫିଲ୍ମ ଫେଷ୍ଟିଭାଲରେ ପ୍ରଥମ ଓଡିଆ ଚଳଚିତ୍ର ଭାବେ ଏହା ପ୍ରଦର୍ଶିତ ହେବାକୁ ମନୋନୀତ କରାଯାଇଛି ।

ଚଳିତ ମାସ (ଅକ୍ଟୋବର) ୨୬ରୁ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ସ୍ପେନର ବାର୍କେଲୋନା ସହରରେ ଏହି ଫିଲ୍ମ ଫେଷ୍ଟିଭାଲ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଉତ୍ସବରେ ବିଭିନ୍ନ ଶ୍ରେଣୀବର୍ଗରେ ୨୫ଟି ଦେଶର ୧୦୦ ବିଶିଷ୍ଟ ଚଳଚିତ୍ର ପ୍ରଦର୍ଶିତ ହେବା ପାଇଁ ମନୋନୀତ ହୋଇଛନ୍ତି । ବିଭିନ୍ନ ବର୍ଗେର ଏସିଆ ଓ ଏସିଆ-ପାସିଫିକ ରିଜିଓନରେ ମନୋନୀତ ଚଳଚ୍ଚିତ୍ରଗୁଡିକ ଏହି ଉତ୍ସବରେ ପ୍ରଦର୍ଶିତ ହେବାର କାର୍ଯ୍ୟକ୍ରମ ରହିଛି । ସ୍ପେନର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଓ ମାଡରିଡ ଓ ବାର୍କେଲୋନା ସିଟି କାଫନସିଲ ମିଳିତ ଭାବେ ଏହି ଫିଲ୍ମ ଫେଷ୍ଟିଭାଲର ଆୟୋଜକ ରହିଛନ୍ତି ।

ଫିଚର ଫିଲ୍ମ ବର୍ଗରେ ପ୍ରଦର୍ଶିତ ହେବା ପାଇଁ ମନୋନୀତ ହୋଇଛି ଏହି ଓଡିଆ ଚଳଚ୍ଚିତ୍ର । ୱେଲ୍ସ ଆସେମ୍ବଲି ଏବଂ କାର୍ଡିଫ୍ କାଉନସିଲ୍ (ୟୁକେ) ଦ୍ୱାରା ଆୟୋଜିତ କାର୍ଡିଫ୍ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ-୨୦୨୨ ରେ ଫିଚର ଫିଲ୍ମ ବର୍ଗରେ ଏହି ଓଡିଆ ଚଳଚିତ୍ର ‘ଏଡିୟୁ ଗୋଦାର’ ଚୟନ କରାଯାଇଥିଲା । ତେବେ ଏହି ବର୍ଗରେ ସଫଳତା ହାସଲ କରିବା ପାଇଁ ଏହି ଚଳଚ୍ଚିତ୍ର ଅନ୍ୟ ପାଞ୍ଚଟି ସମାନଧର୍ମୀ ଚଳଚ୍ଚିତ୍ର ସହ ପ୍ରତିଦ୍ବନ୍ଦ୍ବିତା କରିବ । ଗତମାସରେ ଏହି ଚଳଚ୍ଚିତ୍ର ଜୟପୁର, ମୁମ୍ବାଇ ସମେତ ବିଭିନ୍ନ ସହରରେ ପ୍ରଦର୍ଶିତ ହୋଇଥିଲା ।

ଜାତୀୟ ପୁରସ୍କାର ବିଜେତା ସିନେ ନିର୍ମାତା ଓ ନିର୍ଦ୍ଦେଶକ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ଏହି ଚଳଚ୍ଚିତ୍ରର କାହାଣୀ ସହ ନିର୍ଦ୍ଦେଶନା ଦେଇଛନ୍ତି । ବରିଷ୍ଠ ଓଡିଆ ସିନେ ଅଭିନେତା ଚୌଧୁରୀ ବିକାଶ ଦାସ, ଦୀପନଭିତ୍ ଦାଶମହାପାତ୍ର, ସୁଧାଶ୍ରୀ ମଧୁସ୍ମିତା, ସ୍ବସ୍ତିକ୍ ଚୌଧୁରୀ, ଚୌଧୁରୀ ଜୟପ୍ରକାଶ ଦାସ, ଶଙ୍କର ବସୁ ମଲିକ୍ ଏବଂ ଅଭିଷେକ ଗିରି ପ୍ରମୁଖ କଳାକାର ଅଭିନୟ କରିଛନ୍ତି । ସେହିପରି ସଙ୍ଗୀତ କମ୍ପୋଜର ଭାର ସମ୍ଭାଳିଛନ୍ତି ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ କିଶୋଲ୍ୟ ରୟ । ଲୋକପ୍ରିୟ ରକ ମ୍ୟୁଜିକ ଆଇକନ୍ ରୁପମ୍ ଇସଲାମ ଏହି ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ଓଡିଆ ଗୀତରେ କଣ୍ଠଦାନ କରିଥିବା ନଜର ଆସିଛନ୍ତି ।