ଆଦାନୀ ଗ୍ରୁପର ୨୦ ହଜାର କୋଟି ଏଫ୍‌ପିଓ ବାତିଲ

ଗାନ୍ଧୀନଗର,ଏଜେନ୍ସି: ଆମେରିକୀୟ ଇନଭେଷ୍ଟମେଣ୍ଟ ରିସର୍ଚ୍ଚ ଫାର୍ମ ହିଣ୍ଡନବର୍ଗ ରିପୋର୍ଟ ଯୋଗୁଁ ଲଗାତାର କ୍ଷତି ସହୁଥିବା ଆଦାନୀ ଗ୍ରୁପ ଏକ ବଡ ଘୋଷଣା କରିଛି । ଆଦାନୀ ଏଣ୍ଟର ପ୍ରାଇଜେସ୍ ଲିମିଟେଡ(ଏଇଏଲ୍‌) ନିଜର ୨୦ ହଜାର କୋଟି ଟଙ୍କାର ଫଲୋ ଅନ୍ ପବ୍ଲିକ ଅଫର(ଏଫ୍‌ପିଓ)କୁ ବାତିଲ୍ କରିଦେଇଛି । ଏହି ଏଫ୍‌ପିଓ ପାଇଁ ଆବେଦନ ଶେଷ ହୋଇଥିବା ବେଳେ କମ୍ପାନୀ ଏବେ ଏହାକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି । ବର୍ତ୍ତମାନ ଅପ୍ରତ୍ୟାଶିତ ସ୍ଥିତି ଓ ବଜାରରେ ଅସ୍ଥିରତା ଯୋଗୁଁ ଏଇଏଲ୍‌ ବୋର୍ଡ ପକ୍ଷରୁ ଏହାକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଇଛି ।

ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଥିଲେ । ଏହାକୁ ନେଇ ପୁଞ୍ଜି ବଜାରରେ ବେଶ୍ ଅସ୍ଥିରତା ଦେଖାଦେଇଥିଲା । ଏକ ସମୟରେ ସେନସେକ୍ସ ୨ ହଜାର ପଏଣ୍ଟ ବୃଦ୍ଧି ପାଇଥିବା ବେଳେ ପୁଣି କାରବାର ଶେଷ ବେଳକୁ ଦ୍ରୁତଗତିରେ ଖସି ଆସିଥିଲା । ଗତକାଲି ମଧ୍ୟ ଆଦାନୀ ଗ୍ରୁପ କମ୍ପାନୀଗୁଡିକର ସେୟାର ମୂଲ୍ୟରେ ଦ୍ରୁତ ଅବନତି ଆସିଥିଲା । ଏପରି ପୁଣିଥରେ ବଡ ଧରଣର କ୍ଷତି ସାମ୍ନା କରିବା ପରେ କମ୍ପାନୀର ବୋର୍ଡ ଅଫ୍ ଡାଇରେକ୍ଟର୍ସଙ୍କ ଏକ ବୈଠକ ବସିଥିଲା ।

ଏହି ବୈଠକରେ ବଜାର ଅସ୍ଥିରତା ଓ ନିବେଶକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ୨୦ ହଜାର କୋଟି ଟଙ୍କାର ଫଲୋ ଅନ୍ ପବ୍ଲିକ ଅଫରକୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଏଫ୍‌ପିଓ ପାଇଁ ଆବେଦନ ଶେଷ ହେବା ସହ ଅନେକ ଲୋକ ଆବେଦନ ମଧ୍ୟ କରିଥିଲେ । ଏବେ କମ୍ପାନୀ ପକ୍ଷରୁ ସମସ୍ତ ନିବେଶକଙ୍କ ଟଙ୍କା ଫେରସ୍ତ କରାଯିବ ବୋଲି କୁହାଯାଇଛି । କହିରଖଛୁ ଆଇପିଓ ଏବଂ ଏଫ୍‌ପିଓ ସମ୍ପୂର୍ଣ୍ଣ ଭିନ୍ନ । ପୁଞ୍ଜି ବଜାରରେ ପୂର୍ବରୁ ତାଲିକାଭୁକ୍ତ ଥିବା କମ୍ପାନୀ ଏଫ୍‌ପିଓ ଜରିଆରେ ନିବେଶକଙ୍କୁ ନୂଆ ସେୟାର ଅଫର କରିଥାଏ ।