ଜନଜାତି କଲ୍ୟାଣ ଓ ମହିଳା ସଶକ୍ତିକରଣ ପାଇଁ କିସ୍‍ ଓ ନୱା ମଧ୍ୟରେ ବୁଝାମଣା

ଭୁବନେଶ୍ୱର,ଏନ୍ଏନ୍ଏସ୍: କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ସୋସିଆଲ୍‍ ସାଇନ୍‍ସେସ୍‍ (କିସ୍‍) ଓ ନାଭି ୱେଲଫାୟାର ଓ ୱେଲ୍‍ନେସ୍‍ ଆସୋସିଏସନ (ନୱା) ମଧ୍ୟରେ ଏକ ବୁଝାମଣାପତ୍ର ଗୁରୁବାର ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣ ପତ୍ରରେ କିସ୍‍ ପକ୍ଷରୁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାକ୍ଷର କରିଥିବା ବେଳେ ନୱା ପକ୍ଷରୁ ଏହାର ସଭାପତି କାଲା ହରି କୁମାର ଏଥିରେ ସ୍ୱାକ୍ଷର କରିଥିଲେ । ଏହି ବୁଝାମଣପତ୍ର ଅନୁଯାୟୀ ଉଭୟ କିସ୍‍ ଓ ନୱା ମିଳିତ ଭାବେ ଜନଜାତି କନ୍ୟାଶିଶୁଙ୍କ କଲ୍ୟାଣ, ଆତ୍ମନିର୍ଭରତା, ମହିଳା ସଶକ୍ତିକରଣ, ଶୈକ୍ଷିକ ବିନିମୟ କାର୍ଯ୍ୟକ୍ରମ ଆଦିର ପ୍ରୋତ୍ସାହନ ଦିଗରେ କାର୍ଯ୍ୟ କରିବେ ।

କିସ୍‍ର ଜନଜାତି ଛାତ୍ରଛାତ୍ରୀଙ୍କ କଲ୍ୟାଣ ଓ ଆକାଂକ୍ଷାର ପ୍ରୋତ୍ସାହନ ନିମନ୍ତେ ନୱା ଆବଶ୍ୟକ ସହାୟତା ଯୋଗାଇଦେବ । ସେହିପରି କିଟ୍‍ ମାଧ୍ୟମରେ କିସ୍‍ ନୌସେନା ପରିବାରର ପିଲାମାନଙ୍କୁ ଉଚ୍ଚତର ବୈଷୟିକ ଶିକ୍ଷା ଯୋଗାଇଦେବ । ଏହି ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍ର ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ ଶ୍ରୀମତୀ ହରିକୁମାର କହିଲେ, ତୁମେମାନେ ଦେଶଠାରୁ କିଛି ଆଶା ରଖିବା ଅପେକ୍ଷା ତୁମେମାନେ ଦେଶପାଇଁ କଣ କରିପାରିବ ସେହି କଥା ଚିନ୍ତା କରିବା ଆବଶ୍ୟକ । ସମଗ୍ର ବିଶ୍ୱକୁ ପରିବର୍ତ୍ତନ କରିବାର କ୍ଷମତା ଶିକ୍ଷାର ରହିଛି ।

ପ୍ରତ୍ୟେକ ପରିବାର ଓ ସମାଜର ମୁଳଦୂଆ ହେଉଛି ଶିକ୍ଷା । ସକରାତ୍ମକ ପରିବର୍ତ୍ତନ ଆଣିବାରେ ଛାତ୍ରଛାତ୍ରୀମାନଙ୍କର କ୍ଷମତା ରହିଛି । ତେଣୁ ସବୁବେଳେ ଧୈର୍ଯ୍ୟର ସହ ସକାରାତ୍ମକ ମନୋଭାବ ରଖିଲେ ତୁମର ପ୍ରତ୍ୟେକ ଆଶା ଠିକ୍‍ ସମୟରେ ପୂରଣ ହୋଇପାରିବ ବୋଲି ଶ୍ରମତୀ ହରି କୁମାର ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଥିଲେ । କିସ୍‍ ଭଳି ଏକ ବିଶ୍ୱ ପ୍ରସିଦ୍ଧ ଅନୁଷ୍ଠାନ ସହ ମିଶି କାର୍ଯର୍୍ୟ କରିବାର ସୁଯୋଗ ପାଇଥିବାରୁ ନୱା ପାଇଁ ଏହା ଗୌରବର ବିଷୟ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀ ସାମନ୍ତ କହିଲେ, ଶିକ୍ଷା ହେଉଛି ଶିଶୁର ତୃତୀୟ ନୟନ । ଶିକ୍ଷା ହେଉଛି ପରିବାର, ସମାଜ, ରାଜ୍ୟ ଓ ଦେଶର ବିକାଶର ମୂଳ ଆଧାର ।

ଜନଜାତି ପିଲାଙ୍କ କଲ୍ୟାଣ ନିମନ୍ତେ କିସ୍‍ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଥିବାରୁ ସେ ନୱା ଓ ଶ୍ରୀମତୀ ହରି କୁମାରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କିଟ୍‍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ କହିଲେ, ଜନଜାତି ପିଲାଙ୍କ କଲ୍ୟାଣ ଓ ମହିଳା ସଶକ୍ତିକରଣ ଦିଗରେ କିସ୍‍ ଓ ନୱା ମିଳିତ ଭାବେ କାର୍ଯ୍ୟ କରି ଏକ ନୂତନ ଦିଗନ୍ତ ସୃଷ୍ଟି କରିବେ । ଏହି କାର୍ଯ୍ୟକ୍ରମରେ କିଟ୍‍, କିସ୍‍ ଓ ଭାରତୀୟ ନୌସେନାର ବହୁ ପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ ।