କନିଷ୍ଠ ଶିକ୍ଷକଙ୍କ ଦରମାରେ ୫୦% ବୃଦ୍ଧି, ଉପକୃତ ହେବେ ୩୩,୦୩୮ ଶିକ୍ଷକ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: କନିଷ୍ଠ ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ବର୍ଷ ଭେଟି ଦେଇଛନ୍ତି। ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନରେ ନିୟୋଜିତ ଏହି ଶିକ୍ଷକଙ୍କର ଦରମା ବୃଦ୍ଧି ହୋଇଛି। ସୋମବାର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି। ନିଷ୍ପତ୍ତି ଅନୁଯାୟୀ କନିଷ୍ଠ ଶିକ୍ଷକ (ଚୁକ୍ତିଭିତ୍ତିକ) ଏବଂ କନିଷ୍ଠ ଶିକ୍ଷକଙ୍କ ଦରମାରେ ୫୦ ପ୍ରତିଶତ ବୃଦ୍ଧି କରାଯାଇଛି। ୧ ଜାନୁଆରୀ ୨୦୨୨ରୁ ଏହି ବର୍ଦ୍ଧିତ ଦରମା କାର୍ଯ୍ୟକାରୀ ହେବ। ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକଙ୍କ ବର୍ତ୍ତମାନ ଦରମା ୭,୪୦୦ ଟଙ୍କା ଥିବାବେଳେ ତାହା ୧୧,୦୦୦ ଟଙ୍କାକୁ ବୃଦ୍ଧି ପାଇଛି।

ସେହିପରି କନିଷ୍ଠ ଶିକ୍ଷକ ମାନଙ୍କ ଦରମା ୯,୨୦୦ ଟଙ୍କ ଥିବାବେଳେ ଏହା ୧୩,୮୦୦ ଟଙ୍କାକୁ ବୃଦ୍ଧି ପାଇଛି। ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ୧୬୮ କୋଟି ଟଙ୍କା ଖର୍ଚ୍ଚ କରିବେ। ଏହି ନିଷ୍ପତ୍ତି ଦ୍ୱାରା ୧୩,୩୨୪ ଜଣ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ ଓ ୧୯,୭୧୪ କନିଷ୍ଠ ଶିକ୍ଷକ ଉପକୃତ ହେବେ। ସମୁଦାୟ ୩୩,୦୩୮ କନିଷ୍ଠ ଶିକ୍ଷକଙ୍କ ଦରମାରେ ବୃଦ୍ଧି ହେବ ବୋଲି ଶ୍ରୀ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି।