ଦିବ୍ୟଜ୍ୟୋତି ପରିଡ଼ା ସମ୍ବଲପୁର ଜିଲ୍ଲାପାଳ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ସୋମବାର ରାଜ୍ୟ ସରକାର ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି। ରାଜ୍ୟ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ମୁତାବକ ୨୦୧୩ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇଏଏସ ତଥା ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସେନାଙ୍କୁ ରାଜ୍ୟ କୃଷି ଓ କୃଷକ କଲ୍ୟାଣ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ୨୦୧୬ ବ୍ୟାଚ୍ ଆଇଏଏସ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ସମ୍ବଲପୁରର ନୂଆ ଜିଲ୍ଲାପାଳ ନିଯୁକ୍ତ କରାଯାଇଛି। ଶ୍ରୀ ପରିଡ଼ା ବର୍ତ୍ତମାନ ରାଉରକେଲା ମହାନଗର ନିଗମର କମିଶନର ରହିଛନ୍ତି। ଏଥିସହ ସେ ରାଉରକେଲା ସ୍ମାର୍ଟସିଟି ଲିମିଟେଡ୍‌ର ସିଇଓ, ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷର ସଚିବ ଏବଂ ରାଉରକେଲା ଏଡିଏମ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି। ବର୍ତ୍ତମାନ ସମ୍ବଲପୁରକୁ ଜିଲ୍ଲାପାଳ ଭାବେ ତାଙ୍କର ବଦଳି ହୋଇଛି।

ଅନ୍ୟପଟେ ୨୦୧୮ ବ୍ୟାଚ୍ ଆଇଏଏସ ତଥା ବର୍ତ୍ତମାନ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ଉପଜିଲ୍ଲାପାଳ ଥିବା ଡ. ଶୁଭଙ୍କର ମହାପାତ୍ରଙ୍କୁ ରାଉରକେଲା ମହାନଗର ନିଗମର କମିଶନର ନିଯୁକ୍ତ କରାଯାଇଛି। ସେ ବାଲିଗୁଡ଼ା ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ବାଲିଗୁଡ଼ା ଆଇଟିଡିଏର ପିଏ ଭାବରେ ଅତିରିକ୍ତ ଦାୟିତ୍ୱ ତୁଲାଉଥିବା ବେଳେ ଏଣିକି ରାଉରକେଲା ସ୍ମାର୍ଟସିଟି ଲିମିଟେଡ୍‌ର ସିଇଓ, ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷର ସଚିବ ଏବଂ ରାଉରକେଲା ଏଡିଏମ ଭାବେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରିବେ। ଅନ୍ୟପଟେ ବର୍ତ୍ତମାନର ସମ୍ବଲପୁର ଜିଲ୍ଲାପାଳ ଥିବା ଶୁଭମ ସକ୍ସେନାଙ୍କ ବଦଳି ନିର୍ଦ୍ଦେଶ ପରେ ତାଙ୍କୁ ତୁରନ୍ତ କାର୍ଯ୍ୟରୁ ଅବ୍ୟାହତି ଗ୍ରହଣ କରିବା ସହ ସମ୍ବଲପୁର ଏଡିଏମଙ୍କୁ ଦାୟିତ୍ୱ ହସ୍ତାନ୍ତର କରି ନୂଆ କାର୍ଯ୍ୟସ୍ଥଳୀରେ ଯୋଗଦେବାକୁ କୁହାଯାଇଛି।