ମୁମ୍ବାଇ: ମୁମ୍ବାଇରେ କରୋନା ସଂକ୍ରମଣ ଲଗାତାର ଭାବେ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୨୫୧୦ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଛି। ଏହି ପରିପ୍ରେକ୍ଷୀରେ ମହାରାଷ୍ଟ୍ରର କ୍ୟାବିନେଟ ମନ୍ତ୍ରୀ ଆଦିତ୍ୟ ଠାକରେ ଅଧିକାରୀଙ୍କ ସହ ବୈଠକ କରି ସ୍ଥିତିର ସମୀକ୍ଷା କରିଛନ୍ତି।
ବୈଠକ ପରେ ଆଦିତ୍ୟ ଠାକରେ କହିଛନ୍ତି ଯେ, ଗତ ସପ୍ତାହରେ ଦୈନିକ ୧୫୦ ମାମଲା ସାମ୍ନାକୁ ଆସୁଥିଲା। ଏବେ ପାଖାପାଖି ୨ ହଜାର ମାମଲା ସାମ୍ନାକୁ ଆସୁଛି। ଜାନୁଆରୀ ପ୍ରାରମ୍ଭରେ ଆରମ୍ଭ ହେବାକୁ ଥିବା ୧୫ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ ଲାଗି ଯୋଜନା ପ୍ରସ୍ତୁତ କରାଯାଇଛି। ଭୟଭୀତ ନ ହେବା ପାଇଁ ମୁଁ ସମସ୍ତଙ୍କୁ ନିବେଦନ କରୁଛି। କରୋନା ସଂକ୍ରମଣରୁ ବଂଚିବା ପାଇଁ ଅଧିକ ସତର୍କତା ଅବଲମ୍ବନ କରିବା ନିହାତି ଜରୁରୀ। ନୂଆ ବର୍ଷ ଆସୁଥିବାରୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଆମେ ଗାଇଡଲାଇନ ପ୍ରସ୍ତୁତ କରିଛୁ।