ନୂଆଦିଲ୍ଲୀ: ଦେଶର ବର୍ତ୍ତମାନ ସୁଦ୍ଧା ୨୩୬ ଓମିକ୍ରନ୍ ମାମଲା ସାମ୍ନାକୁ ଆସିଛି। ସେଥିମଧ୍ୟରୁ ଦିଲ୍ଲୀରେ ୬୪ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଇତିମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଭିନ୍ନ ବିଭାଗ ସହ ଓମିକ୍ରନକୁ ନେଇ ବୈଠକ କରିଛନ୍ତି। ବୈଠକ ପରେ କେଜ୍ରିୱାଲ କହିଛନ୍ତି ଯେ, ଆମେ ପ୍ରତିଦିନ ଟେଷ୍ଟିଂ କ୍ଷମତା ୩ଲକ୍ଷକୁ ବଢ଼ାଇଛୁ। କରୋନାର ଦ୍ୱିତୀୟ ଲହରରେ ଦିଲ୍ଲୀରେ ସର୍ବାଧିକ ୨୬-୨୭ ହଜାର କରୋନା ମାମଲା ସାମ୍ନାକୁ ଆସିଥିଲା। କିନ୍ତୁ ଏବେ ଆମେ ପ୍ରତିଦିନ ୧ଲକ୍ଷ ମାମଲାକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ଅଛୁ। ଆଗାମୀ ଦିନରେ ହୋମ ଆଇସୋଲେସନକୁ ମଜଭୁତ କରିବାକୁ ଯାଉଛୁ।
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆହୁରି କହିଛନ୍ତି ଯେ, କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ୍ ଖୁବ୍ ମାଇଲଡ। ଏହାଦ୍ୱାରା ମୃତ୍ୟୁ କମ୍ ହୋଇଥାଏ। କିନ୍ତୁ ଦ୍ରୁତ ଗତିରେ ସଂକ୍ରମିତ ହୋଇଥାଏ। ତେଣୁ ଯଦି ଆପଣ ସଂକ୍ରମିତ ହୁଅନ୍ତି ତେବେ ଘରେ ରୁହନ୍ତୁ। ହସ୍ପିଟାଲ ଯାଆନ୍ତୁନି।