ମୁମ୍ବାଇ ପହଞ୍ଚିଲେ ବ୍ରହ୍ମାଣ୍ଡ ସୁନ୍ଦରୀ ହରନାଜ୍‌ କୌର ସନ୍ଧୁ, ଦିଆଗଲା ଭବ୍ୟ ସ୍ବାଗତ

ମୁମ୍ବାଇ,ଏଜେନ୍ସି: ବ୍ରହ୍ମାଣ୍ଡ ସୁନ୍ଦରୀ-୨୦୨୧ ଟାଇଟଲ୍‌ ବିଜେତା ହରନାଜ୍‌ କୌର ସନ୍ଧୁ ବୁଧବାର ବିଳମ୍ବିତ ରାତ୍ରିରେ ମୁମ୍ବାଇ ପହଞ୍ଚିଛନ୍ତି। ଏଠାରେ ପହଞ୍ଚିବା ପରେ ହରନାଜ୍‌ଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ହରନାଜ୍‌ଙ୍କ ସହିତ ସଂପର୍କୀୟ ଓ ପ୍ରଶଂସକ ମାନଙ୍କ ସହିତ ମୁମ୍ବାଇ ପୁଲିସର ଯବାନମାନେ ମଧ୍ୟ ଫଟୋ ଉଠାଇଥିଲେ। ହାତରେ ତ୍ରିରଙ୍ଗା ଧରି ବ୍ରହ୍ମାଣ୍ଡ ସୁନ୍ଦରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

ବ୍ରହ୍ମାଣ୍ଡ ସୁନ୍ଦରୀ-୨୦୨୧ ଟାଇଟଲ୍‌ ବିଜୟିନୀ ଚଣ୍ଡୀଗଡ଼ର ଝିଅ ହରନାଜ୍‌ କୌର ସୁନ୍ଦରୀ ପ୍ରତିଯୋଗିତାରେ ଭାରତର ଗୌରବ ବଢ଼ାଇଛନ୍ତି। ୨୧ ସମୟର ଅପେକ୍ଷାକୁ ସେ ଶେଷ କରିଛନ୍ତି। କାରଣ ୨୧ ବର୍ଷ ପୂର୍ବରୁ ଏହି ଟାଇଟଲ ଭାରତକୁ ଆସିଥିଲା।

ସୂଚନାଯୋଗ୍ୟ, ବ୍ରହ୍ମାଣ୍ଡ ସୁନ୍ଦରୀ ହେବା ପୂର୍ବରୁ ହରନାଜ ୨୦୧୭ରେ ମିସ ଚଣ୍ଡୀଗଡ଼ ଟାଇଟଲ ଜିତିଥିଲେ। ପୁଣି ୨୦୧୮ରେ ସେ ମିସ ମ୍ୟାକ୍ସ ଇମାଜିଙ୍ଗ ଷ୍ଟାର ଇଣ୍ଡିଆ ଟାଇଟଲରେ ସମ୍ମାନିତ ହୋଇଥିଲେ। ଏହି ୨ଟି ପ୍ରତିଯୋଗିତାରେ ସଫଳ ହେବା ପରେ ସେ ମିସ ଇଣ୍ଡିଆ ୨୦୧୯ରେ ଅଂଶଗ୍ରହଣ କରିଥିଲେ, ଯେଉଁଠି ସେ ଶ୍ରେଷ୍ଠ ୧୨ ଜଣିଆ ତାଲିକାରେ ସାମିଲ ହୋଇପାରିଥିଲେ। ହରନାଜଙ୍କ ପୂର୍ବରୁ ୧୯୯୪ରେ ସୁସ୍ମିତା ସେନ୍‌ ଓ ୨୦୦୦ ମସିହାରେ ଲାରା ଦତ୍ତ ମିସ୍‌ ୟୁନିଭର୍ସ ଟାଇଟଲ୍‌ ଭାରତକୁ ଆଣିଥିଲେ।