କଟକ,ଏନ୍ଏନ୍ଏସ୍: ପୁରୀ ଜିଲ୍ଲା ବ୍ରହ୍ମଗିରି ସାନବନ୍ଧକେରାର ଚିତ୍ତରଞ୍ଜନ ପଲେଇଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବା ପାଇଁ କ୍ରାଇମ୍ବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି ଡ଼ିଜିପି ଅଭୟ। ଘଟଣାର ସମ୍ବେଦନଶୀଳତାକୁ ଗୁରୁତ୍ୱରେ ରଖି ଡ଼ିଜିପି ଏହି ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ୪ ଜଣିଆ ଟିମ ଗଠନ କରାଯାଇଛି। କ୍ରାଇମବ୍ରାଞ୍ଚ ଡ଼ିଏସ୍ପି ଶିଶିର ମିଶ୍ରଙ୍କ ନେତୃତ୍ୱରେ ଏହି ଟିମ ଗଠନ ହୋଇଛି। ତାଙ୍କୁ ୩ ଜଣ ଅଫିସର ଇନ୍ସପେକ୍ଟର ବିଶ୍ୱପ୍ରକାଶ ରାଉତ, ସବଇନ୍ସପେକ୍ଟର ଏନ୍ ତ୍ରୀନାଥ ଦୋରା ଓ ଏଏସ୍ଆଇ ଆଶୁତୋଷ ପ୍ରଧାନ ତଦନ୍ତରେ ସାହାଯ୍ୟ କରିବେ। ଘଟଣାର ପ୍ରତ୍ୟେକ ଦିଗ ପ୍ରତି ଦୃଷ୍ଟି ଦିଆଯିବ। ତଦନ୍ତ ପ୍ରକ୍ରିୟାକୁ ପ୍ରଭାବୀ କରିବା ନିମନ୍ତେ ବୈଜ୍ଞାନିକ ଜ୍ଞାନକୌଶଳର ସହଯୋଗ ନିଆଯିବ ବୋଲି ବୋଲି କ୍ରାଇମବ୍ରାଞ୍ଚ ଏଡ଼ିଜି ସଞ୍ଜୀବ କୁମାର ପଣ୍ଡା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଚିତ୍ତରଞ୍ଜନଙ୍କ ମୃତ୍ୟୁ ଘଟଣାରେ ପୁରୀ ଜିଲ୍ଲା ସଦର ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା। ଘଟଣା ପଛରେ ଲୁଚି ରହିଥିବା ରହସ୍ୟକୁ ଉନ୍ମୋଚନ କରିବ କ୍ରାଇମବ୍ରାଞ୍ଚ। ଚିତ୍ତରଞ୍ଜନ ଯେଉଁଠି ସେଦିନ ଭୋଜିରେ ସାମିଲ ହୋଇଥିଲେ ସେ ସବୁ ସ୍ଥାନକୁ ଯାଇ ତଦନ୍ତ କରିବ ଏହି ଟିମ। ଏଥିସହ ଯେଉଁମାନେ ସନ୍ଦେହ ଘେରରେ ଅଛନ୍ତି ସମସ୍ତଙ୍କୁ ପଚରାଉଚରା କରିବେ। ସ୍ଥାନୀୟ ପୁଲିସଠାରୁ ତଦନ୍ତ ହୋଇଥିବା ମାମଲା ସଂକ୍ରାନ୍ତୀୟ କାଗଜପତ୍ର ସଂଗ୍ରହ କରିିିବା ସହିତ ସମସ୍ତ ଦସ୍ତାବିଜ୍କୁ ହାସଲ କରି ତଦନ୍ତକୁ ଅଗ୍ରଗତି କରିବା ନିମନ୍ତେ ଗୁରୁତ୍ୱ ଦିଆଯାଇଛି। ତଦନ୍ତ ପାଇଁ ଗଠିତ ହୋଇଥିବା ଟିମ ପୁରୀ ଗସ୍ତ କରିଥିବା ଜଣାପଡ଼ିଛିି। ଏହି ଘଟଣା ଉପରୁ ଖୁବଶୀଘ୍ର ପରଦା ହଟିବ ବୋଲି ଶ୍ରୀ ପଣ୍ଡା ଆଶାବ୍ୟକ୍ତ କରିଛନ୍ତି।
ସୂଚନାନୁଯାୟୀ, ଗତ ୧୩ ତାରିଖରେ ସନ୍ଦେହଜନକ ଭାବେ ଚିତ୍ତଙ୍କ ମୃତଦେହ ପୁରୀଜିଲ୍ଲା ନୂଆ ନଈ ନିକଟରୁ ଉଦ୍ଧାର କରାଯାଇଥିଲା। ମୃତଦେହ ଜବତ ପରେ ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ହତ୍ୟାକାଣ୍ଡ ପଛରେ ଚିତ୍ତରଞ୍ଜନଙ୍କ ଘନିଷ୍ଠ ବନ୍ଧୁ ଜଗନ୍ନାଥ ଷଡ଼ଙ୍ଗୀର ହାତ ରହିଥିବା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସ ବର୍ମାଙ୍କ ବିରୋଧ ପରିବାର ଲୋକଙ୍କ କରିଥିଲେ।