ଜେଲରେ ଥିବା ପୁଅ ସମ୍ବନ୍ଧରେ ପ୍ରଶ୍ନ ପଚାରିବାରୁ କେନ୍ଦ୍ରମନ୍ତ୍ରୀଙ୍କ ତାଣ୍ଡବ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ପୁଣିଥରେ ବିବାଦ ଘେରରେ ଫସି ଯାଇଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କୁ ଜଣେ ସାମ୍ବାଦିକ ଜେଲରେ ଥିବା ତାଙ୍କ ପୁଅ ସମ୍ପର୍କରେ ପ୍ରଶ୍ନ ପଚାରିବାରୁ ସେ ଉତ୍ତେଜିତ ହୋଇ ପଡ଼ିଥିଲେ। ଏଥିସହିତ ସେଠାରେ ଉପସ୍ଥିତ ଥିବା ସାମ୍ବାଦିକଙ୍କ ମାଇକ ଧରି ଗାଳିଗୁଲଜ କରିବା ସହ ଚୋର ମଧ୍ୟ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଆଜି ଉତ୍ତରପ୍ରଦେଶର ଲଖୀମପୁରରେ ଅକ୍ସିଜେନ ପ୍ଲାଣ୍ଟର ଉଦଘାଟନ କରିଥିଲେ। ଏହି ଅବସରରେ ତାଙ୍କ ପୁଅ ଉପରେ ଲାଗିଥିବା ଅଭିଯୋଗ ସମ୍ବନ୍ଧରେ ପ୍ରଶ୍ନ ପଚାରିବାରୁ ମନ୍ତ୍ରୀ କହିଥିଲେ ଯେ, ପାଗଳଙ୍କ ପରି ପ୍ରଶ୍ନ କ’ଣ ପଚାରୁଛ? ମୁଣ୍ଡ ଖରାପ ଅଛି କି?

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ଲଖୀମପୁର ଖୀରୀରେ କୃଷକଙ୍କ ଉପରେ ଗାଡ଼ି ଚଢ଼ିଯିବା ଏକ ସୁନିୟୋଜିତ ଯୋଜନା ବୋଲି ଏସଆଇଟି ଯାଞ୍ଚରେ ସାମ୍ନାକୁ ଆସିଛି।  ଉକ୍ତ ମାମଲାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ସମେତ ୧୪ ଅଭିଯୁକ୍ତଙ୍କ ନାଁରେ ଅଜାଣତରେ ହତ୍ୟା ବଦଳରେ ହତ୍ୟା ମାମଲା ଏସଆଇଟି ଲଗାଇଛି।