ସେନାର ଗୁଳିରେ ଲସ୍କର କମାଣ୍ଡର ଅବୁ ଜରାର ମୃତ

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର ପୁଁଛ ଜିଲ୍ଲାରେ ଅକ୍ଟୋବର ୧୧ ତାରିଖରେ ସେନାର ବସ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏଥିରେ ଭାରତୀୟ ସେନାର ଜୁନିୟର କମିଶଣ୍ଡ ଅଫିସର ସମେତ ୫ଜଣ ଯବାନ ସହିଦ ହୋଇଥିଲେ। ଏହାର ଜବାବ ଦେବାକୁ ଯାଇ ସେନା ପକ୍ଷରୁ ଆଜି ଲସ୍କର କମାଣ୍ଡର ଅବୁ ଜରାରକୁ ମାରି ଦିଆଯାଇଛି। ଅବୁ ଜରାର ପାକିସ୍ତାନୀ ହୋଇଥିବାବେଳେ ତା’ ପାଖରୁ ଅନେକ ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ସୁରକ୍ଷାବଳ ଓ ଆତବାଦୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଜୁନିୟର କମିଶଣ୍ଡ ଅଧିକାରୀ ଓ ୪ ଯବାନ ଗମ୍ଭୀର ଭାବେ ଆହତ ହୋଇଥିଲେ। ସମସ୍ତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ମୃତ୍ୟୁ ଘଟିଥିଲା। ୫ ଯବାନ ସହିଦ ହେବା ପରେ ସାଥୀଙ୍କ ଉପରେ ଆକ୍ରମଣ କରିଥିବା ଆତଙ୍କବାଦୀଙ୍କୁ ଖୋଜିବାକୁ ବାହାରିଥିବା ଯବାନଙ୍କ ଉପରେ ୨ଦିନ ପରେ ଆକ୍ରମଣ ହୋଇଥିଲା। ଏଥିରେ ଜଣେ ଜୀସିଓ ସମେତ ୨ ଯବାନ ସହିଦ ହୋଇଥିଲେ।