୨୧ ବର୍ଷ ପରେ ଭାରତକୁ ମିସ୍‌ ୟୁନିଭର୍ସ ତାଜ, ହରନାଜ ବ୍ରହ୍ମାଣ୍ଡ ସୁନ୍ଦରୀ

ଇସ୍ରାଏଲ,ଏଜେନ୍ସି: ୨୧ ବର୍ଷ ପରେ ଭାରତକୁ ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ। ଭାରତୀୟ ଭାବେ ହରନାଜ ହୋଇଛନ୍ତି ବ୍ରହ୍ମାଣ୍ଡ ସୁନ୍ଦରୀ। ୮୦ ଜଣ ସୁନ୍ଦରୀଙ୍କୁ ପଛରେ ପକାଇ ବ୍ରହ୍ମାଣ୍ଡ ସୁନ୍ଦରୀ ବିଜୟ ମୁକୁଟ ପିନ୍ଧିଛନ୍ତି ପଞ୍ଜାବର ହରନାଜ ସାନ୍ଧୁ। ଇସ୍ରାଏଲରେ ଅନୁଷ୍ଠିତ ୭୦ ତମ ମିସ ୟୁନିଭର୍ସ ପ୍ରତିଯୋଗିତାରେ ସଫଳ ହୋଇଛନ୍ତି ହରନାଜ। ମେକ୍ସିକୋର ଆଣ୍ଡିଆ ମେଜା ହରନାଜଙ୍କୁ ବିଜୟ ମୁକୁଟ ପିନ୍ଧାଇଛନ୍ତି।

୨୦୦୦ ମସିହାର ବଲିଉଡ ଅଭିନେତ୍ରୀ ଲାରା ଦତ୍ତ ବ୍ରହ୍ମାଣ ସୁନ୍ଦରୀ ମୁକୁଟ ପିନ୍ଧିଥିଲେ। ଏହାପରେ ଭାରତର ଆଉ କୌଣସି ପ୍ରତିଯୋଗୀ ଏହି ସଫଳତା ଆଣିନଥିଲେ। ଏବେ ହରନାଜ୍ ୨୧ ବର୍ଷ ପରେ ଭାରତକୁ ଏହି ଗୌରବ ଆଣିଦେଇଛନ୍ତି। ଏହାକୁ ମିଶାଇ ଭାରତ ତୃତୀୟ ଥର ଏହି ଟାଇଟଲ ହାସଲ କରିଛି। ମିସ ପାରାଗୱେଙ୍କୁ ପଛରେ ପକାଇ ପ୍ରତିଯୋଗିତାରେ ହରନାଜ୍ କୌର ପ୍ରଥମ ସ୍ଥାନ ହାସଲ କରିଛନ୍ତି। ମିସ୍ ସାଉଥ ଆଫ୍ରିକା ତୃତୀୟ ସ୍ଥାନରେ ରହିଛନ୍ତି।

ପ୍ରତିଯୋଗିତାର ତୃତୀୟ ରାଉଣ୍ଡରେ ସମସ୍ତ ପ୍ରତିଯୋଗୀ ସମାନ ଉତ୍ତର ଦେଇଥିଲେ। ଏହା ପରେ ଆଜିର ଯୁବଗୋଷ୍ଠୀ ସମ୍ମୁଖୀନ ହେଉଥିବା ଚାପରୁ ମୁକାବିଲା ପାଇଁ ଆପଣ କେଉଁ ପରାମର୍ଶ ଦେବେ ବୋଲି ଏକ ପ୍ରଶ୍ନ କରାଯାଇଥିଲା। ଉତ୍ତରରେ ହରନାଜ କହିଥିଲେ ବର୍ତ୍ତମାନ ସମୟରେ ଯୁବକଙ୍କର ବଡ ସମସ୍ୟା ହେଉଛି ନିଜ ଉପରୁ ଭରସା ଉଠିଯିବା। ସେମାନେ ଅନନ୍ୟ ଏବଂ ଏହା ତାଙ୍କୁ ଆହୁରି ସୁନ୍ଦର କରିଥାଏ। ନିଜକୁ ଅନ୍ୟ ସହ ତୁଳନା କରିବା ବନ୍ଦ କରିବାକୁ ପଡିବ। ନିଜ ପାଇଁ ମୁହଁ ଖୋଲିବାକୁ ପଡିବ। କାରଣ ସେମାନେ ତାଙ୍କ ଜୀବନର ଲିଡର। ଏହା ସେମାନଙ୍କୁ ବୁଝିବାକୁ ପଡିବ। ମୁଁ ନିଜ ଉପରେ ବିଶ୍ବାସ କରେ। ସେଥିପାଇଁ ଆଜି ଏହି ସ୍ଥାନରେ ଅଛି ବୋଲି କହିଥିଲେ ହରନାଜ। ଯାହା ବିଚାରକଙ୍କ ହୃହୟକୁ ଛୁଇଁଥିଲା।

ଚଣ୍ଡୀଗଡର ସିଖ୍ ପରିବାରରେ ୨୧ ବର୍ଷୀୟ ହରନାଜଙ୍କ ଜନ୍ମ। ପବ୍ଲିକ ଆଡମିନଷ୍ଟ୍ରେସନରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ୧୭ ବର୍ଷ ବୟସରୁ ଏହି ଯାତ୍ରା ଆରମ୍ଭ କରିଥିଲେ ହରନାଜ। ୨୦୨୧ରେ ଅକ୍ଟୋବରରେ ମିସ ୟୁନିଭର୍ସ ଇଣ୍ଡିଆ ଓ ମିସ ଡିଭା କ୍ରାଉନ ପିନ୍ଧିଥିଲେ। ୨୦୧୭ରେ ମିସ୍ ଚଣ୍ଡୀଗଡର ଟାଇଟଲ ହାସଲ କରିଥିଲେ। ଏହା ପରେ ୨୦୧୮ରେ ହରନାଜ୍ ମ୍ୟାକ୍ସ ଇମର୍ଜିଂ ଷ୍ଟାର ଇଣ୍ଡିଆ ତାଜ୍ ହାସଲ କରିଥିଲେ। ୨୦୧୯ରେ ସେ ମିସ୍ ଇଣ୍ଡିଆ ଭାଗ ନେଇଥିଲେ ଆଉ ଟପ୍ ୧୨ରେ ସ୍ଥାନ ପକ୍କା କରିଥିଲେ। ସେ ପଞ୍ଜାବର ୩ଟି ଫିଲ୍ମରେ ଅଭିନୟ କରିଛନ୍ତି।

ପ୍ରକାଶ ଥାଉ କି, ହରନାଜଙ୍କ ପୂର୍ବରୁ ୧୯୯୪ରେ ସୁସମିତା ସେନ ଓ ଏହାର ୬ ବର୍ଷ ପରେ ୨୦୦୦ ମସିହାରେ ଲାରା ଦତ୍ତ ବ୍ରହ୍ମାଣ୍ଡ ସୁନ୍ଦରୀ ହୋଇଥିଲେ। ଆଉ ଦୀର୍ଘ ୨୧ ବର୍ଷ ପରେ ହରନାଜ ସିନ୍ଧୁ ଏହି ସଫଳତା ଆଣିଛନ୍ତି।